ଫୁଲବାଣୀ: ଆଇନଜୀବୀମାନେ ଏକ ଉତ୍ତମ ବୃତ୍ତିରେ ଅଛନ୍ତି। ସାଧାରଣ ଲୋକଙ୍କୁ ସେବା କରିବା ସହିତ ନ୍ୟାୟ ପ୍ରଦାନରେ ସହାୟତା କରୁଛନ୍ତି। ମୋ ସରକାର ସବୁବେଳେ ସମସ୍ତଙ୍କ ବିକାଶ ଚିନ୍ତା କରୁଛି। ଆଇନଜୀବୀଙ୍କ ବିକାଶ ପାଇଁ ମଧ୍ୟ ମୁଁ ସବୁବେଳେ ତତ୍ପର। ଓଡ଼ିଶା ଆଇନଜୀବୀ ସଂଘର ୫୨ତମ ଅଧିବେଶନକୁ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୁଲବାଣୀ ଠାରେ ସଂଘର ଦୁଇଦିନିଆ ଅଧିବେଶନ ଶୁକ୍ରବାର ଓ ଶନିବାର ହୋଇଥିଲା। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଉଦଘାଟନ କରିଥିଲେ। ଏହି ଅବସରରେ ସେ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ୫ କୋଟିରୁ ୧୦ କୋଟିକୁ ବୃଦ୍ଧି କରିବା ଘୋଷଣା କରିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡ଼ା, ଅନ୍ୟତମ ଅତିଥି ରୂପେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମଞ୍ଚାସୀନ ଥିଲେ। ସାଧାରଣ ଲୋକଙ୍କୁ କିପରି ଶୀଘ୍ର ଓ ସହଜରେ ଆଇନ ସେବା ମିଳିପାରିବ ସେ ନେଇ ମତ ରଖିଥିଲେ ଅତିଥିବୃନ୍ଦ। ସାଂସଦ କହିଥିଲେ ମୁଖ୍ୟମନ୍ତ୍ରୀ ଆଇନ ସେବା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବହୁତ କିଛି କରୁଛନ୍ତି।
ଅଧିବେଶନରେ ରାଜ୍ୟ ସରକାରଙ୍କ ସାଂସଦ, ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ବରିଷ୍ଠ ଆଇନଜୀବୀ ଓ ବୁଦ୍ଧିଜୀବୀମାନେ ସାମିଲ ହୋଇଛନ୍ତି। ରାଜ୍ୟ ସରକାର ଆଇନଜୀବୀଙ୍କ ଦୀର୍ଘଦିନର ଦାବି ପୁରଣ କରିଥିବାରୁ କୃତଜ୍ଞତା ଜଣାଇଥିଲେ ଫୁଲବାଣୀ ଆଇନଜୀବୀ ସଂଘ ସଭାପତି ଭଗବାନ ମହାନ୍ତି।