ବରଗଡ଼ : ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଉଦ୍ଘାଟିତ ହୋଇଯାଇଛି । ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସଙ୍କ ଶାସନ। ଅପରାହ୍ନ ୩ଟାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରକୁ ପହଞ୍ଚିଥିଲା । ସେଠାରେ ମାଙ୍କ ପାରମ୍ପରିକ ପୂଜାର୍ଚନା ପରେ ମନ୍ଦିରରୁ ଏକ ଶୋଭାଯାତ୍ରା ନଗର ପରିକ୍ରମା କରି ମଥୁରା ରାଜ ଦରବାରକୁ ପହଞ୍ଚିଥିଲା । ପରେ ବରଗଡ଼ ସାସଂଦ ସୁରେଶ ପୂଝାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାର ଶୁଭ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନୁଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ମନିଷା ବାନାର୍ଜୀ, ଏସପି ପି .ଏସ .ମୀନାଙ୍କ ସମେତ ଧନୁଯାତ୍ରା କମିଟି ସଂପାଦକ ସୁରେଶ୍ବର ସତପଥୀ ପ୍ରମୁଖ ଦୀପ ପ୍ରଜ୍ବଳନ କରିଥିଲେ । ଏହାପରେ ବରଗଡ଼ ପାଲଟିଛି ମଥୁରା ନଗରୀ, ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ପାଲଟି ଯାଇଛି ଯମୁନା ନଦୀ । ଏହାସହ ବରଗଡ଼ ର ସମସ୍ତ ଜନ ସାଧାରଣ ପାଲଟି ଯାଇଛନ୍ତି ଏହି ମୁକ୍ତାକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର।
ଧନୁଯାତ୍ରାର ଉଦ୍ଘାଟନୀ ଦିବସରେ ମହାରାଜ ଉଗ୍ରସେନ ରାଜକୀୟ ଆଡ଼ମ୍ବର ସହ ଦେବକୀ ଓ ବାସୁଦେବଙ୍କ ବିବାହ ସ୍ଥାନୀୟ ତଳିପଡ଼ା ସ୍ଥିତ ରାମଜୀ ମନ୍ଦିରରେ ସମ୍ପର୍ଣ୍ଣ ହୋଇଛି । ଏପେଟ ଯୁବରାଜ କଂସଙ୍କ ଦୈରାତ୍ମ୍ୟ ବଢ଼ିବାରେ ଲାଗିଛି । ଏନେଇ ଯୁବରାଜ କଂସ ଗୋମତ ଋଷିଙ୍କ ଠାରୁ ଅଭିଶାପ ପାଇବା ସହ ତାଙ୍କ ଆଶ୍ରମରେ ନିଆଁ ଲଗାଇଛନ୍ତି । ଅନ୍ୟ ପକ୍ଷେ ଦେବକୀ ବସୁଦେବଙ୍କ ବିବାହକୁ ନେଇ ସାରା ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରିଆସିଛନ୍ତି ଯୁବରାଜ କଂସ । ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଥିବାରୁ ଦୁଃଖିତ ହୋଇପଡ଼ିଛନ୍ତି କଂସ । ଭଉଣୀ ଦେବକୀଙ୍କୁ ଶାଶୁଘରେ ଛାଡ଼ିଦେବା ପାଇଁ ଆନନ୍ଦର ସହ ବାହାରିଥିଲେ । ଠିକ ଏତିକି ବେଳେ ଦୈବବାଣୀରେ କଂସ ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ହେବ ତୋର ମୃତ୍ୟୁର କାରଣ । ଦୈବବାଣୀ ଶୁଣି ଅତ୍ୟନ୍ତ କ୍ରୋଧିତ ହୋଇପଡ଼ିଲେ ଯୁବରାଜ କଂସ । କ୍ରୋଧରେ ସେ ଦେବକୀ, ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିଥିବା ବେଳେ ମହାରାଜ ଉସେନଙ୍କୁ ଗାଦିଚ୍ୟୁତ କରି ନିଜେ ଆହୋରଣ କରିଛନ୍ତି ମଥୁରାର ରାଜସିଂହାସନ ଏବଂ ଉଗ୍ରସେନଙ୍କୁ କରିଛନ୍ତି ରାଜ କଟୁଆଳ । କଂସଙ୍କ ରାଜଭିଷେକ ପରେ ମନ୍ତ୍ରୀ ପରିଷଦ ଉଲ୍ଲସୀତ ହୋଇଥିବା ବେଳେ ସମସ୍ତଙ୍କ ମନୋରଞ୍ଜନ ପାଇଁ ରାଜ ଦରବାରରେ ଆୟୋଜନ କରାଯାଇଛି ନୃତ୍ୟଗୀତର ଆସର ।
ସେହିପରି ମଙ୍ଗଳବାର ଧନୁଯାତ୍ରାର ୨ୟ ଦିନରେ ମହାରାଜ କଂସ ନିଜ ସୈନ୍ୟ ସାମନ୍ତଙ୍କ ସହ ନଗର ଭ୍ରମଣ କରିବେ। ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ରଙ୍ଗମହଲର ଉଦ୍ଘାଟନ କରିବେ ମହାରାଜ କଂସ । ରାଜଦରବାରରେ ନୃତ୍ୟ ଗୀତ କାର୍ଯ୍ୟକ୍ରମ l ଅନ୍ୟପଟେ କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସଙ୍କ ଭୟରେ ବାସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା ,ଉଗ୍ରସେନ ସହ ଭେଟ ଏବଂ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟା କୁ ନେଇ ମଥୁରା ପ୍ରତ୍ୟାବର୍ତନ ଦୃଶ୍ୟ ଅଭିନିତ ହେବ ।