ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ତଥା ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଘୃର୍ଣ୍ଣିବଳୟ ବର୍ତମାନ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଜି ଠାରୁ ବର୍ଷାର ପରିମାଣ ବଢିବ । ବିଶେଷ କରି ୨ ତାରିଖରୁ ୫ ତାରିଖ ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ତେଣୁ ଦୁର୍ଗାପୂଜା ମାହୋଲକୁ ବର୍ଷା ଧୋଇନେଇପାରେ । ୫ ତାରିଖ ପରେ ବର୍ଷା ପରିମାଣ କମିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କେନ୍ଦୁଝର, ମୟୁରଭଂଜ ଏବଂ ଢେଙ୍କାନାଳ ଜିଲାର କିଛି ଅଂଚଳରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ବର୍ଷା ହୋଇପାରେ । ଏହି ଜିଲାଗୁଡିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୩ ତାରିଖ ଉପକୂଳ ସମେତ ଆଉ କିଛି ସଂଲଗ୍ନ ଅଞ୍ଚଳରେ ପ୍ରବଳ ବର୍ଷିବ। ୪ ତାରିଖ ସୋମବାର ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ଓ ଉପକୂଳ ଓଡ଼ିଶା ସମେତ ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାରେ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଦଶହରା ଦିନ ବି ରାଜ୍ୟରେ ବର୍ଷା ଜାରି ରହିବ। ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ରାଜଧାନୀରେ ପାଗ ଆଶିଂକ ମେଘୁଆ ରହିବା ସହ ଅପରାହ୍ନରେ ବର୍ଷା ସମ୍ଭାବନା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।