ଭୁବନେଶ୍ୱର : ରାଜ୍ୟ ଜଳ ସଂପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଗୁରୁବାର ଆଭାସୀ ବୈଠକ ମାଧ୍ୟମରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ, ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଓ ବାଙ୍କତିରା ଜଳସେଚନ ପ୍ରକଳ୍ପ ଏବଂ ମୟୂରଭଞ୍ଜ ଜିଲ୍ଲାର ସୋନୋ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ଓ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ବ୍ୟାପକ ଆଲୋଚନା କରାଯାଇଥିଲା ।
ବୈଠକରୁ ଜଣାଯାଇଛି ଯେ, ଆଗାମୀ ଜୁନ୍-୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍ ୱେ କାର୍ଯ୍ୟ ଶେଷ ହେବ । ଏଥିପାଇଁ ପ୍ଲେଟ୍ ଗାର୍ଡର ଓ ଦକ୍ଷିଣ ପାର୍ଶ୍ୱ ଡାଇକ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ୨୦୨୧ ମସିହାରେ ଏହି ପ୍ରକଳ୍ପ ଅଧୀନରେ ୧୫୦୦୦ ହେକ୍ଟର ଓ ୨୦୨୨ ରେ ୧୭୦୦୦ ହେକ୍ଟର ସେଚାଞ୍ଚଳକୁଅତିରିକ୍ତ ଜଳସେଚନ ସୁବିଧା କରାଯାଇଥିବା ବେଳେ ଆଗାମୀ ଖରିଫ-୨୦୨୩ ସୁଦ୍ଧା ଆଉ ୮୦୦୦ ହେକ୍ଟର ଜମିକୁ ଜଳସେଚନ ପାଇଁ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।ସେହିପରି ମୟୂରଭଂଜ ଜିଲ୍ଲାର ସୋନୋ ଜଳସେଚନ ପ୍ରକଳ୍ପ ଓବାଲେଶ୍ୱର ଜିଲ୍ଲାର ବାଙ୍କତିରା ଜଳସେଚନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ଏହି ପ୍ରକଳ୍ପ ଦ୍ୱୟର କାର୍ଯ୍ୟାରମ୍ଭ ପାଇଁ ପରିବେଶ ମଂଜୁରୀ ଏବଂ ଟେଣ୍ଡର କାର୍ଯ୍ୟକୁ ତ୍ୱରିତ ପଦକ୍ଷେପ ନିଆଯାଇ ଶେଷ କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ ।