ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ସେ ନିଜ ଜନ୍ମମାଟିକୁ ଗସ୍ତ କରିଛନ୍ତି। ଦୁଇ ଦିନିଆ ଗସ୍ତର ପ୍ରଥମ ଦିନରେ ସେ ଘଟଗାଁ ଯାଇ ମା’ ତାରିଣୀଙ୍କୁ ଦର୍ଶନ କରିଛନ୍ତି।
ଘଟଗାଁ ହେଲିପ୍ୟାଡ୍ରେ ପହଞ୍ଚିବା ପରେ ସେଠାରୁ ବିଶାଳ ଶୋଭାଯାତ୍ରାରେ ଯାଇ ମା’ ତାରିଣୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମା’ଙ୍କ ଦର୍ଶନ ପରେ ମନ୍ଦିରର ଉନ୍ନତି ତଥା ସୌନ୍ଦର୍ଯ୍ୟକରଣ ପାଇଁ ଆଉ ୫୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୀଠର ବିକାଶ ପାଇଁ ୫୦ କୋଟି ଟଙ୍କା ବିନିମୟରେ କାମ ଚାଲିଛି। ଏବେ ଆଉ ୫୦ କୋଟି ଟଙ୍କା ମନ୍ଦିରର ସୌନ୍ଦର୍ଯ୍ୟକରଣରେ ବିନିଯୋଗ ହେବ ବୋଲି ସେ କହିଛନ୍ତି। ଏଥିସହ ତାରିଣୀ ପୀଠକୁ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।