ବାଲେଶ୍ଵର : ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ । ମୁମ୍ବାଇରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ପରେ ମୃତଦେହ ଘରକୁ ଆଣି କ୍ରିୟାକର୍ମ କରିବା ପାଇଁ ପରିବାର ପକ୍ଷରେ ସମ୍ବଳ ନଥିଲା । ଏନେଇ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁମ୍ବାଇରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ।
ସୂଚନା ଯେ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାହାପୁର ଗାଁର ମୁରଲୀଧର ମହାକୁଡ କାମା ଆଶାରେ ଗତ କିଛି ଦିନ ତଳେ ଗାଁ ଛାଡି ମୁମ୍ବାଇକୁ ଯାଇଥିଲେ। ସେଠାରେ ସେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିଲେ। ଅସୁସ୍ଥତା ବଶତଃ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। କିନ୍ତୁ ପରିବାର ଲୋକଙ୍କ ପାଖରେ ମୁରଲୀଧରଙ୍କ ମୃତଦେହ ନିଜ ଜନ୍ମମାଟିକୁ ଫେରାଇ ଆଣିବା ଲାଗି ସେତେଟା ସମ୍ବଳ ନଥିଲା। ତେଣୁ ଗାଁକୁ ଆଣି କ୍ରୀୟା କର୍ମ କରିବା ଲାଗି ପରିବାର ଲୋକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରାଯାଇଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ଗୁହାରି ଶୁଣିଛନ୍ତି। ଏ ବିଷୟରେ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ଏହି ଅସହାୟ ପରିବାରକୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁମ୍ବାଇରୁ ମୃତ ମୁରଲୀଧର ମହାକୁଡଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟିକୁ ଫେରିଆସିଛି। ଏପରିକି ମଙ୍ଗଳବାର ମୁରଲୀଧରଙ୍କ ପତ୍ନୀ ଏବଂ ତାଙ୍କ ଝିଅଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ।