ଆଜି ବିଶ୍ବ ଚେସ୍ ଦିବସ । ୨୦ ଜୁଲାଇରେ ବିଶ୍ୱ ଚେସ୍ ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଚେସ୍ ହେଉଛି ରଣନୀତି ଏବଂ ବୌଦ୍ଧିକ ଦକ୍ଷତାର ଏକ ଖେଳ ଯାହା ସମଗ୍ର ବିଶ୍ୱରେ ଲୋକପ୍ରିୟ। ମାନସିକ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ଖେଳ ଚେସ୍ ବହୁ ପ୍ରାଚୀନ। ସମୟ ସହିତ ଏହାର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଉଛି। ଆସନ୍ତୁ ଜାଣିବା ବିଶ୍ୱ ଚେସ ଦିବସ କେବେ ଏବଂ କିପରି ଆରମ୍ଭ ହେଲା ଏବଂ ଏହାର ମହତ୍ତ୍ୱ କ’ଣ …..
ପୂର୍ବରୁ ଏହି ଖେଳ ମନୋରଞ୍ଜନ ଏବଂ ରାଜାମାନଙ୍କର ଖେଳ ଥିଲା । କିନ୍ତୁ ବର୍ତ୍ତମାନ ତାହା ସମସ୍ତେ ଖେଳି ଥାନ୍ତି । ଏହାକୁ ଖେଳିବା ଦ୍ୱାରା ବୁଦ୍ଧି ତିକ୍ଷ୍ଣ ହୁଏ। ଚେସ ଖୈଳ ବହୁତ ଶାନ୍ତିରେ ଖେଳା ଯାଏ । ଏହି ଖେଳରେ ଖେଳାଳୀ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିଥାଏ । ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଆନ୍ତର୍ଜାତୀୟ ଚେସ ଫେଡେରେଶନକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କୁ ଆନ୍ତର୍ଜାତୀୟ ଚେସ ଫେଡେରେଶନ ବିଷୟରେ ଅବଗତ କରାଇବା ।
ଚେସ୍ ଖେଳ ଅନ୍ୟ ଖେଳଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ତାଳି ନଥାଏ କି ଜୟ ପରାଜୟରେ କୌଣସି ଶବ୍ଦ ବା ଚିତ୍କାର ବି ନଥାଏ। ଫଳରେ ବ୍ୟକ୍ତିର ଆଦ୍ୟ ଜୀବନକୁ ଶୃଙ୍ଖଳିତ କରିବା ସହ ଶୃଙ୍ଖଳିତ ଚରିତ୍ରର ଅବଧାରଣ କରିଥାଏ। ମାନସିକ ଓ ବୌଦ୍ଧିକ ବିକାଶର ଏହା ଅନ୍ୟତମ ଉପଯୁକ୍ତ ମାଧ୍ୟମ ଥିବାରୁ ଚେସ୍ ଖେଳାଳି ଓ ଖେଳ ପ୍ରତି ସମାଜରେ ସମ୍ମାନ ବଢ଼ିଥାଏ। ଏଥି ସହିତ ଚେସ୍ ଅନେକ ମାନବୀୟ ଗୁଣ ସବୁକୁ ଶିକ୍ଷା ଦେଇଥାଏ। ସ୍ମରଣଶକ୍ତି, ମାନସିକ ଦକ୍ଷତା, ଗଣନା କ୍ଷମତା, ଭାବନା ଶକ୍ତି, ସୃଜନଶୀଳତା, ଏକାଗ୍ରତା ବୃଦ୍ଧିର ଏହା ମଧ୍ୟ ଅନ୍ୟତମ ଉପଯୁକ୍ତ ମାଧ୍ୟମ।
ଇତିହାସ :
୧୯୨୪ ମସିହାରେ ଫ୍ରାନ୍ସର ପ୍ୟାରିସ୍ରେ ଆୟୋଜିତ ଅଷ୍ଟମ ଗ୍ରୀଷ୍ମ ଅଲିମ୍ପିକ୍ ଗେମ୍ସରେ ୨୦ ଜୁଲାଇରେ ୱାର୍ଲ୍ଡ ଚେସ୍ ଫାଉଣ୍ଡେସନ୍ ପ୍ରତିଷ୍ଠା କରାଯାଇଥିଲା। ୟୁନେସ୍କୋ ତରଫରୁ ଫାଉଣ୍ଡେସନର ପ୍ରତିଷ୍ଠା ସମ୍ମାନରେ ୨୦ ଜୁଲାଇକୁ ବିଶ୍ୱ ଚେସ ଦିବସ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ୨୦ ଜୁଲାଇ ୧୯୬୬ରେ ପ୍ରଥମ ବିଶ୍ୱ ଚେସ ଦିବସ ପାଳନ କରାଯାଇଥିଲା। ତେବେ ଯୁଏନଓ ସାଧାରଣ ସଭା ତରଫରୁ ୧୨ ଡିସେମ୍ବର ୨୦୧୯ରେ, ୨୦ ଜୁଲାଇକୁ ବିଶ୍ୱ ଚେସ ଦିବସ ଭାବରେ ଘୋଷଣା କରାଯାଇଥିଲା। ୧୮୫୧ ମସିହାରେ ଲଣ୍ଡନରେ ଆଧୁନିକ ଚେସ୍ର ପ୍ରଥମ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ଜର୍ମାନ ଆଡଲ୍ଫ ଆଣ୍ଡରସନ୍ ବିଜେତା ହୋଇଥିଲେ।
ମହତ୍ତ୍ୱ :
ଚେସ ଖେଳିବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନକୁ ପ୍ରୋତ୍ସାହିତ କରେ ଏବଂ ଏହାଦ୍ୱାରା ମନୁଷ୍ୟର ମାନସିକ ଦକ୍ଷତା ବିସ୍ତାର ହୁଏ। ଚେସ ଖେଳ ଦୁଇ ଖେଳାଳିଙ୍କ ମଧ୍ୟରେ ଅନ୍ତର୍ଭୂକ୍ତତା ଏବଂ ସହନଶୀଳତା, ପାରସ୍ପରିକ ସମ୍ମାନ ଏବଂ ନ୍ୟାୟକୁ ପ୍ରୋତ୍ସାହିତ କରେ । ଏହାପୂର୍ବରୁ ଏହି ଖେଳ ରାଜକୀୟ ଗୃହରେ ଖେଳାଯାଉଥିଲା । ବୈଜ୍ଞାନିକ ଚିନ୍ତା ଏବଂ କଳାର ଉପାଦାନଗୁଡ଼ିକୁ ମିଶାଇ ଏହି ଖେଳ ହେଉଛି ପ୍ରାଚୀନ ବୈଦ୍ଧିକ ଏବଂ ସାଂସ୍କୃତିକ ଖେଳ ଅଟେ ।