ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲା ଶୁକ୍ରବାରଠାରୁ ମୁମ୍ବାଇର ଐତିହାସିକ ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଖେଳାଯିବ। ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ହାରି ୧୮ ଶୃଙ୍ଖଳା ତଥା ୧୨ ବର୍ଷ ପରେ ଘରୋଇ ପରିବେଶରେ ଶୃଙ୍ଖଳା ହାରିବାର ଅପଯଶ ମୁଣ୍ଡାଇଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ଏହି ମ୍ୟାଚ୍ ସମ୍ମାନରକ୍ଷାର ଶେଷ ସୁଯୋଗ ହେବ। ନ୍ୟୁଜିଲାଣ୍ଡ ଅନ୍ୟପକ୍ଷରେ ଭାରତ ମାଟିରେ ଭାରତକୁ ମୂଳପୋଛ କରି ୩-୦ର ଐତିହାସିକ ବିଜୟ ହାସଲ କରିବାର ଅସାଧାରଣ ଓ ଅବିଶ୍ବସନୀୟ ଆଶା ପୂରଣ କରିବା ଲକ୍ଷ୍ୟରେ ରହିବ।
ୱାଙ୍ଖଡ଼େରେ ମଧ୍ୟ ସ୍ପିନର୍ଙ୍କୁ ସୁହାଉଥିବା ପିଚ୍ ମିଳିବାର ସମ୍ଭାବନା ଥିବାରୁ ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତ ପାଇଁ ଏହା ଅଧିକ ଆହ୍ବାନଭରା ହେବ। କାରଣ ପୁଣେରେ ମିଚେଲ ସାଣ୍ଟନରଙ୍କ ସ୍ପିନ୍ ଜାଲରେ ଫଶି ହିଁ ଭାରତ ପରାଜିତ ହେବା ସହ ଘରେ ଶୃଙ୍ଖଳା ହାରିବାର ଲଜ୍ଜା ବହନ କରିଥିଲା। ସାଣ୍ଟନର ପୂର୍ବରୁ କେବେବି କୌଣସି ଟେଷ୍ଟ୍ ମ୍ୟାଚ୍ର ଗୋଟିଏ ପାଳିରେ ୩ରୁ ଅଧିକ ୱିକେଟ୍ ନେଇ ନଥିଲା ବେଳେ ପୁଣେ ଲଢ଼େଇର ପ୍ରଥମ ପାଳିରେ ୭ ଏବଂ ଦ୍ବିତୀୟରେ ୬ ୱିକେଟ୍ ନେଇ ଭାରତକୁ ଏକପ୍ରକାର ଏକାକୀ ଧରାଶାୟୀ କରିଥିଲେ। ଏହା ପୂର୍ବରୁ ବର୍ଷା ପ୍ରଭାବିତ ବେଙ୍ଗାଲୁରୁ ଟେଷ୍ଟ୍ର ପ୍ରଥମ ପାଳିରେ ଭାରତୀୟ ଦଳ ଘରୋଇ ମାଟିରେ ସର୍ବନିମ୍ନ ଦଳଗତ ସ୍କୋର (୪୬) କରିବାର ଲଜ୍ଜାଜନକ ପ୍ରଦର୍ଶନ କରିଥିଲା। ଦ୍ବିତୀୟ ପାଳିରେ ଭଲ କରିଥିଲେ ମଧ୍ୟ ପ୍ରଥମ ପାଳିର ଦୁର୍ବଳ ସ୍କୋର୍ ପାଇଁ ପରାଜିତ ହୋଇଥିଲା। ଏଣୁ ମୁମ୍ବାଇର ଭାରତୀୟ ଦଳକୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ କରିବାକୁ ହେବ। ଏହା ନହେଲେ ବିଜୟ ଧାରାକୁ ଫେରିବା ରୋହିତ ବାହିନୀ ପାଇଁ କାଠିକର ପାଠ ହେବ। ପୁଣି ଗୁରୁତ୍ବପୂର୍ଣ୍ଣ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମଧ୍ୟ ଦଳ ପାଇଁ ଲଗାତାର ତିନି ମ୍ୟାଚ୍ ହାରିବା ଶକ୍ତ ଧକ୍କାଠାରୁ କିଛି କମ୍ ହେବନି। ସେହିଭଳି ଟିମ୍ ଇଣ୍ଡିଆର ଲଗାତାର ତୃତୀୟ ଥର ପାଇଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବା ପଥ ମଧ୍ୟ ଆହୁରି ବଂଧୁର ଓ କଷ୍ଟକର ହୋଇଯିବ।
ଭାରତ ଶେଷ ଥର ପାଇଁ ୨୦୦୦ ମସିହାରେ ଅଷ୍ଟ୍ରେଲିଆଠାରୁ ଘରୋଇ ପରିବେଶରେ ମୂଳପୋଛ (୦-୨) ହୋଇଥିଲା। ଏବେ ଏହି ଭୟ ଭାରତୀୟ କ୍ରିକେଟ୍ପ୍ରେମୀଙ୍କୁ ଗ୍ରାସ କରିଛି। ଅଧିନାୟକ ରୋହିତ ଶର୍ମା ଏବଂ ଚର୍ଚ୍ଚିତ ନାୟକ ବିରାଟ କୋହଲିଙ୍କ ଲଗାତାର ବିଫଳତା ମଧ୍ୟ ଏହି ଭୟକୁ ଆହୁରି ବଢ଼ାଇ ଦେଇଛି। ମୁମ୍ବାଇରେ ଭାରତୀୟ ଦଳରେ ବଡ଼ ଧରଣର ପରିବର୍ତ୍ତନ ଆଶା କମ୍ ରହିଛି। ତେବେ ଅଷ୍ଟ୍ରେଲିଆ ଶୃଙ୍ଖଳା ପୂର୍ବରୁ ପ୍ରମୁଖ ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦେବା ଲାଗି ଯୁବ ବୋଲର ହର୍ଷିତ ରାଣାଙ୍କୁ ଭାରତ ତାର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇପାରେ। ନ୍ୟୁଜିଲାଣ୍ଡ କିନ୍ତୁ ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇପାରେ। ଏହି ମ୍ୟାଚ୍ର ଦିନକ ପୂର୍ବରୁ କିନ୍ତୁ ଭାରତୀୟ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡର ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି ଷ୍ଟେଡ୍ ଚେତାବନୀ ଦେଇଛନ୍ତି। ପିଚ୍ ଯାହା ହେଉ ନା କାହିଁକି ଆମେ ଜିତିବା ଲକ୍ଷ୍ୟ ନେଇ ଏହି ମ୍ୟାଚ୍କୁ ଯିବୁ ବୋଲି କହିଛନ୍ତି ସେ।