ଢାକା : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ସିତ୍ରାଙ୍ଗ ବାଂଲାଦେଶରେ ତାଣ୍ଡବ ସୃଷ୍ଟି କରିଛି । ବାତ୍ୟା ପ୍ରଭାବରେ ବାଂଲାଦେଶର ଦକ୍ଷିଣ ଉପକୂଳ ଏବଂ ମଧ୍ୟ ଭାଗରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେହିପରି ପ୍ରବଳ ବର୍ଷା ଓ ପବନ ପାଇଁ ବିଦ୍ୟୁତ୍ ଖୁଣ୍ଟ ଉପୁଡିବା ସହ ଅନେକ ଘର ଭାଙ୍ଗିଯାଇଛି । ବାତ୍ୟା ସିତ୍ରାଙ୍ଗ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରି ବାଂଲାଦେଶର ବରିସାଲ ଉପକୂଳ ଅଞ୍ଚଳ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିଲା ।
ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ଯୋଗୁଁ ବଡବଡ ଗଛ, ବିଦ୍ୟୁତ ଖୁଣ୍ଟ ଓ ଟେଲିଫୋନ ଟାୱାର ଧରାଶାୟୀ ହୋଇପଡ଼ିଛି । ୧୦ ହଜାରରୁ ଅଧିକ ଘର ଭାଙ୍ଗିଛି ଓ ୬ ହଜାରରୁ ଅଧିକ ହେକ୍ଟରରେ ଫସଲ ନଷ୍ଟ ହୋଇଛି । ପ୍ରବଳ ବର୍ଷା ହେବାଦ୍ବାରା ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଂଲାଦେଶର କାକ୍ସ ବାଜାର ତଟରୁ ପାଖାପାଖି ହଜାର ହଜାର ଲୋକ ଓ ପଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ବାତ୍ୟା ସିତ୍ରାଙ୍ଗର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ବୃଦ୍ଧି ପାଇଛି । ଘଣ୍ଟାପ୍ରତି ୫୬ କିଲୋମିଟରରେ ଗତିରେ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଦେଇ ବାତ୍ୟା ବାଂଲାଦେଶ ଛୁଇଁଛି । ଏହା ପ୍ରଭାବରେ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲା, ଉତ୍ତର ଉପକୂଳ ଅଞ୍ଚଳ ଏବଂ ପୂର୍ବ ମେଦିନିପୁରରେ ମଧ୍ୟମରୁ ଭାରି ଧରଣର ବର୍ଷା ହୋଇଛି ।