ବେଙ୍ଗାଲୁରୁ : ଚନ୍ଦ୍ରଯାନ-୩ ସଫଳତାର ୧୦ ଦିନ ପରେ ଇସ୍ରୋ ପ୍ରଥମ ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ୍-୧ ପ୍ରକ୍ଷେପଣ କରିଛି । ଶନିବାର ଦିନ ୧୧ଟା ୫୦ରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ କରାଯାଇଛି । ପିଏସ୍ଏଲ୍ଭି ସି-୫୭ର ଏକ୍ସଏଲ୍ ଭର୍ସନ ରକେଟ ଦ୍ବାରା ସ୍ପେସକ୍ରାଫ୍ଟକୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରାଯାଇଛି । ତେବେ ‘ଆଦିତ୍ୟ L1’ର ରବିବାର ପ୍ରଥମ କକ୍ଷପଥ ପରିବର୍ତ୍ତନ । ୫ଥର କକ୍ଷ ପରିବର୍ତ୍ତନ ସହ ଏହା ୧୬ ଦିନ ପୃଥିବୀ କକ୍ଷପଥରେ ଘୂରିବ । ୧୧୦ ଦିନର ଯାତ୍ରା ପରେ ଏଲ-ଓ୍ବାନ ବିନ୍ଦୁରେ ‘ଆଦିତ୍ୟ L1’କୁ ଅବସ୍ଥାପିତ କରାଯିବ ।
୨୦୨୪ ଜାନୁଆରୀ ୬ ତାରିଖରେ ପୃଥିବୀ ଠାରୁ ୧୫ ଲକ୍ଷ କି.ମି ଦୂରରେ ଅବସ୍ଥିତ ଲଗରେଞ୍ଜ ପଏଣ୍ଟ-୧ରେ ପହଞ୍ଚିବ । ସେଠାରେ ହେଲୋ ଅର୍ବିଟରେ ଏହାକୁ ଅବସ୍ଥାପିତ କରାଯିବ । ସେହି ପଏଣ୍ଟରେ ସୂର୍ଯ୍ୟ ଗ୍ରହଣର ପ୍ରଭାବ ପଡେ ନାହିଁ । ଯାହାଫଳରେ ସେଠାରେ ରହି ଏହି ମହାକାଶଯାନ ସୂର୍ଯ୍ୟ ଉପରେ ଗବେଷଣା କରିପାରିବ । ପୃଥିବୀ ଠାରୁ ସୂର୍ଯ୍ୟ ମଧ୍ୟରେ ଏଭଳି ୫ଟି ଲଗରେଞ୍ଜ ପଏଣ୍ଟ ରହିଛି । ପ୍ରଥମ ଲଗରେଞ୍ଜ ପଏଣ୍ଟ ପୃଥିବୀ ଠାରୁ ୧୫ ଲକ୍ଷ କିମି. ଦୂରରେ ଅବସ୍ଥିତ । ସେଠାରେ ଯଦି କୌଣସି ବସ୍ତୁ ରଖାଯାଏ ତାହା ସେହି ପଏଣ୍ଟକୁ ଚକ୍କର କାଟିବା ଆରମ୍ଭ କରିବ ।
ପ୍ରଥମଥର ପାଇଁ ପିଏସ୍୪କୁ ଦୁଇ ଦୁଇଥର ଚାଲୁ କରାଯାଇଥିଲା । ଯାହାଫଳରେ ରକେଟଟି ତୁରନ୍ତ ବହୁ ଉଚ୍ଚକୁ ଉଠିପାରିଥିଲା । ସୂର୍ଯ୍ୟ ଉପରେ ବୈଜ୍ଞାନିକ ଅଧ୍ୟୟନ ପାଇଁ ଆଦିତ୍ୟ ଏଲ୍-୧ ମହାକାଶ ଯାନରେ ୭ଟି ପେଲୋଡ ରହିଛି । ଏହି ସମସ୍ତ ପେଲୋଡ ଇସ୍ରୋର ବିଭିନ୍ନ କେନ୍ଦ୍ର ଓ ବୈଜ୍ଞାନିକ ପ୍ରତିଷ୍ଠାନର ସହଯୋଗରେ ଭାରତର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି ।