ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ପଶ୍ଚିମା ଝଡ଼ ସକ୍ରିୟ ହେଉନି । ଫଳରେ ଉତ୍ତର ଦିଗରୁ ଥଣ୍ଡା ପବନ ଆସୁନାହିଁ । ସେଥିପାଇଁ ଶୀତ କମିଯାଇଛି । ଆସନ୍ତା ୨ ଦିନ ପରେ ରାତି ତାପମାତ୍ରା ସାମାନ୍ୟ କମିବ । ସାରା ରାଜ୍ୟରେ ଅଚାନକ ଅସ୍ୱାଭାବିକ ଭାବେ ଗରମ ଅନୁଭୂତ ହେଲାଣି । ରାତିରେ ଶୀତ ବସ୍ତ୍ରର ଆବଶ୍ୟକତା ବି କମିଯାଇଛି । ଏଭଳି ସ୍ଥିତି ଆହୁରି କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ । ଯଦିଓ ୨ ଦିନ ପରେ ରାତି ତାପମାତ୍ରା ବର୍ତ୍ତମାନ ତୁଳନାରେ ୨-୪ ଡିଗ୍ରୀ କମିବ, ମାତ୍ର ସେଥିରେ ବିଶେଷ ଶୀତ ଫେରିବା ସମ୍ଭାବନା କମ୍ ।
ରାଜ୍ୟରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ପରବର୍ତ୍ତୀ ଦୁଇ ଦିନ ମଧ୍ୟ ଏହିଭଳି ସ୍ଥିତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ରାଜ୍ୟରେ ଏବେ ଶୀତ ହ୍ରାସ ପାଇଛି । ୧୮ ତାରିଖ ବେଳକୁ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ଗଜପତି, କନ୍ଧମାଳ ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ରାଜ୍ୟର ଅନ୍ୟ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା।