ଗାଜା : ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ୭ ଦିନିଆ ଯୁଦ୍ଧବିରତି ପରେ ପୁଣି ଥରେ ଲଢେଇ ଆରମ୍ଭ ହୋଇଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜା ଉପରେ ଘନଘନ ଆକ୍ରମଣ କରିଛି । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୧୦୯ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ଆକ୍ରମଣରେ ଶତାଧିକ ଆହତ ହୋଇଛନ୍ତି । ଇସ୍ରାଏଲରେ ମଧ୍ୟ ରକେଟ୍ ମାଡ଼ ନେଇ ଆଲର୍ଟ ଜାରି କରାଯାଇଛି । ସେପଟେ ଇସ୍ରାଏଲ ଯୁଦ୍ଧବିରତି ଉଲ୍ଲଂଘନ କରିଥିବା ହମାସ୍ ଅଭିଯୋଗ କରିଛି ।
ଅନ୍ୟପଟେ ଇସ୍ରାଏଲ ଅଧିକ ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ଦେଇଥିବା ଅଫର୍କୁ ପ୍ରତ୍ୟାଖାନ କରିଥିବା ହମାସ୍ କହିଛି । ରିପୋର୍ଟ ଅନୁସାରେ, ଇସ୍ରାଏଲର ଏକାଧିକ ସହରରେ ଇସ୍ଲାମିକ୍ ଜିହାଦର ସଶସ୍ତ୍ର ଶାଖା ଅଲ୍-କୁଦ୍ସ ଆକ୍ରମଣ କରିଛି । ଯାହା ଫଳରେ ଉତ୍ତର ଇସ୍ରାଏଲରେ ୨ ବିମାନ ବନ୍ଦର ବନ୍ଦ ରହିଛି । ଏଥିସହ ସୀମାବର୍ତ୍ତୀ ଅଞ୍ଚଳରେ ସମସ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଲେବାନନ୍ ସୀମା ନିକଟବର୍ତ୍ତୀ ଇସ୍ରାଏଲୀ ଅଞ୍ଚଳରେ ମଧ୍ୟ ସାଇରନ୍ ଶବ୍ଦ ଶୁଣିବାକୁ ମିଳିଛି । ଗାଜା ଉପରେ ଇସ୍ରାଏଲ ପୁଣି ଆକ୍ରମଣ କରିବା ସହ ଗାଜାବାସୀଙ୍କୁ ଖାନ୍ ୟୁନିସ୍ ଅଞ୍ଚଳ ସମେତ ଦକ୍ଷିଣ ଗାଜା ଖାଲି କରିବାକୁ ଆଦେଶ ଦେଇଛି । ଏଥିପାଇଁ ଆରବୀ ଭାଷାରେ ବାର୍ତ୍ତା ଲେଖାଯାଇ ଆକାଶମାର୍ଗରୁ ତଳକୁ ପକାଯାଇଛି ।
ସେହପିରି ରାଫା କ୍ରସିଂ ବର୍ଡର ନିକଟରେ ମଧ୍ୟ ଇସ୍ରାଏଲ ବୋମାମାଡ଼ କରିଛି । ଯୁଦ୍ଧବିରତିର ୩ ଘଣ୍ଟା ଭିତରେ ଆକ୍ରମଣରେ ୩୨ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିଲା । ଅକ୍ଟୋବର ୭ରେ ଇସ୍ରାଏଲରେ ହମାସ୍ ଆତଙ୍କବାଦୀ ଆକ୍ରମଣ କରିବା ପରଠାରୁ ଇସ୍ରାଏଲ ଗାଜାରେ ଜୋରଦାର ଆକ୍ରମଣ କରିଥିଲା । କାତାର, ଇଜିପ୍ଟ ଏବଂ ଆମେରିକା ମଧ୍ୟସ୍ଥତାରେ ହମାସ୍ ଏବଂ ଇସ୍ରାଏଲ ମଧ୍ୟରେ ୪ ଦିନିଆ ଯୁଦ୍ଧବିରତି ଲାଗି ସହମତି ହୋଇଥିଲା । ପରେ ଯୁଦ୍ଧବିରତି ଆଉ ୨ ଦିନ ବଢ଼ିଥିଲା ଯାହା କି ଶୁକ୍ରବାର ଶେଷ ହୋଇଥିଲା । ଅସ୍ତ୍ରବିରତି ବେଳେ ହମାସ୍ କବଳରେ ଥିବା ୧୧୦ ପଣବନ୍ଦୀ ମୁକ୍ତ ହୋଇଥିଲେ । ବଦଳରେ ଇସ୍ରାଏଲ୍ ଜେଲରେ ବନ୍ଦୀ ଥିବା ୨୪୦ ପାଲେଷ୍ଟିନୀୟ ମୁକୁଳିଛନ୍ତି । ହମାସ୍ କବଳରେ ଆହୁରି ୧୪୦ ଇସ୍ରାଏଲୀ ପଣବନ୍ଦୀ ଅଛନ୍ତି । ଶୁକ୍ରବାର ଯୁଦ୍ଧବିରତି ଶେଷ ହେବାର ଘଣ୍ଟାଏ ପୂର୍ବରୁ ଗାଜା ନିକଟବର୍ତ୍ତୀ ଇସ୍ରାଏଲୀ ଅଞ୍ଚଳରେ ରକେଟ୍ ସାଇରନ୍ ବାଜିଥିଲା ।