ଭୁୁବନେଶ୍ୱର : ଓଡ଼ିଶାରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଆସନ୍ତା ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦଳ ପକ୍ଷରୁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି। ୧୦ ତାରିଖ ବଦଳରେ ଜୁନ ୧୨ ତାରିଖରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦଳୀୟ ମୁଖପାତ୍ର ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ୧୧ ତାରିଖରେ ବିଜେପିର ବିଧାୟକ ଦଳ ବୈଠକ ବସିବ। ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେପିକୁ ଏକକ ସଂଖ୍ୟା ଗରିଷ୍ଠତା ମିଳିଛି। ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ବିଜେପି ୭୮ ଆସନରେ ବିଜୟୀ ହୋଇଛି। ସେହିପରି ବିଜେଡି ୫୧ ଆସନରେ ଜିତିଥିବାବେଳେ କଂଗ୍ରେସ ୧୪, ସିପିଆଇ ୧ ଏବଂ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟଲାଭ କରିଛନ୍ତି।