ଭୁବନେଶ୍ୱର : ଭୁବନେଶ୍ୱର ଦୀପାଳି ବାର୍ ଆଣ୍ଡ୍ ହୋଟେଲରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ତାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ହୋଇ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଭିସେରା ଫରେନସିକ ଲ୍ୟାବ୍କୁ ପଠାଯାଇଛି। ଘଟଣା ଦିନ ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ କି ନା ବିଷକ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ତାହା ଭିସେରା ରିପୋର୍ଟ ଆସିଲା ପରେ ହିଁ ଜଣାପଡ଼ିବ।
ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ତାଙ୍କ ପରିବାର ଲୋକ ଓ ସାଙ୍ଗସାଥୀଙ୍କୁ ମିଶାଇ ୧୦ରୁ ଅଧିକ ଲୋକଙ୍କୁ ଲକ୍ଷ୍ମୀସାଗର ଥାନା ପୋଲିସ ପଚରାଉଚରା କରିଛି। ଏଥିସହ ଶୁଭଲକ୍ଷ୍ମୀଙ୍କ ବୟଫ୍ରେଣ୍ଡକୁ ଡାକି ପଚରାଉଚରା କରିଥିବା ଜଣାପଡ଼ିଛି। ହେଲେ ପୁରୁଷ ବନ୍ଧୁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସ ଆଗରେ ମୁହଁ ଖୋଲିନାହାନ୍ତି। ୧୫ରୁ ୨୦ ଦିନ ତଳେ ବୟ ଫ୍ରେଣ୍ଡଙ୍କ ସହ ଶୁଭଲକ୍ଷ୍ମୀଙ୍କର ବ୍ରେକଅପ୍ ହୋଇଯାଇଥିଲା।
ଗତ ଶନିବାର ହୋଟେଲ ରୁମ ଭିତରୁ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଶୁଭଲକ୍ଷ୍ମୀ ଶୁକ୍ରବାର ରାତି ପ୍ରାୟ ୩ଟା ୨୦ରେ ହୋଟେଲକୁ ଆସିଥିଲେ। ସେ ୨୦୫ ନମ୍ବର ରୁମ୍ ବୁକ୍ କରି ସେଠାରେ ବିଶ୍ରାମ ନେବାକୁ ଯାଇଥିଲେ। କିନ୍ତୁ ଶନିବାର ସକାଳେ କି ମଧ୍ୟାହ୍ନ ସମୟରେ କବାଟ ନ ଖୋଲିବାରୁ ସନ୍ଦେହ ବଢ଼ିଥିଲା। ପୋଲିସ ଆସି ରୁମର କବାଟ ଭାଙ୍ଗିବା ପରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଥିବା ଶୁଭଲକ୍ଷ୍ମୀଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଅବସ୍ଥାରେ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା କୁହାଯାଉଥିଲା। କିନ୍ତୁ ତାଙ୍କ ବାପା ଶୁଭଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।