ନୂଆଦିଲ୍ଲୀ : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ବୁଧବାର ପ୍ରଥମ ଥର ପାଇଁ ପାଳନ ହୋଇଛି ଦୀପୋତ୍ସବ। ପୂରା ଅଯୋଧ୍ୟା ରେକର୍ଡ ୨୫ ଲକ୍ଷ ଦୀପରେ ଝଟକିଛି। ଏକକାଳୀନ ଏତେ ସଂଖ୍ୟକ ଦୀପ ଜଳିବା ଗୋଟିଏ ବିଶ୍ୱ ରେକର୍ଡ।
ବାସ୍ତବରେ ଆୟୋଜକମାନେ ୨୫ ଲକ୍ଷ ଦୀପ ଜାଳିବାକୁ ଯୋଜନା କରିଥିଲେ। କିନ୍ତୁ ସରଜୁ ନଦୀ କୂଳରେ ଅତିରିକ୍ତ ୩ ଲକ୍ଷ ଦୀପ ଲୋକମାନେ ଜାଳି ପୂରା ପରିବେଶକୁ ଆହୁରି ଭବ୍ୟ କରିଛନ୍ତି। ଦୀପ ଜଳିବା ପରେ ପୂରା ପରିବେଶ ସୁବର୍ଣ୍ଣ ରଙ୍ଗରେ ରଙ୍ଗାୟିତ ହେଲା ଭଳି ଦେଖାଯାଇଥିଲା। ଏପରି ଦୀପୋତ୍ସବ ଅଯୋଧ୍ୟା ଭଳି ପବିତ୍ର ସହରର ଧାର୍ମିକ, ପାରମ୍ପରିକ ଓ ସାଂସ୍କୃତିକ ବାତାବରଣକୁ ଦ୍ୱିଗୁଣିତ କରିଛି। ଦୀପୋତ୍ସବ ବେଳେ ମିଆଁମାର, ନେପାଳ, ଥାଇଲ୍ୟାଣ୍ଡ, ମାଲେସିୟା, କାମ୍ବୋଡିଆ ଓ ଇଣ୍ଡୋନେସିଆର କଳାକାରମାନେ ଆଧ୍ୟାତ୍ମିକ କଳା ପ୍ରଦର୍ଶନ କରିଥିଲେ।
ଏମାନଙ୍କ ବ୍ୟତୀତ ଉତ୍ତରାଖଣ୍ଡରୁ ଆସିଥିବା କଳାକାରମାନେ ରାମଲୀଳା ପ୍ରଦର୍ଶନ କରି ପରିବେଶରେ ଚାରଚାନ୍ଦ ଲଗାଇଥିଲେ। ଅତିରିକ୍ତ ଭାବେ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର ମଧ୍ୟ ଭକ୍ତିରସାତ୍ମକ କାର୍ଯ୍ୟକ୍ରମ ପରିବେଶଣ କରିଛନ୍ତି। ଏହାପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆରତି କରି ଦୀପୋତ୍ସବର ଶୁଭାରମ୍ଭ କରିଥିଲେ। ରାମାୟଣର କଳାକାରମାନେ ବସିଥିବା ରଥକୁ ମଧ୍ୟ ସେ ଟାଣିଥିଲେ।