ନୂଆଦିଲ୍ଲୀ : ଆଜି ଶପଥ ନେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ରାଜସ୍ଥାନରେ ଆରମ୍ଭ ହେବ ଭଜନଲାଲ ସରକାର। ଜୟପୁରର ରାମ ନିବାସ ବାଗରେ ସକାଳ ୧୧ଟା ୧୫ ମିନିଟରେ ଶପଥ ସମାରୋହ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସହ ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ରାଜ୍ୟପାଳ କାଲରାଜ ମିଶ୍ର ଶପଥ ପାଠ କରାଇବେ ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ସାମିଲ ହେବେ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଜୟପୁର ସମେତ ରାଜସ୍ଥାନର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।
ଭଜନଲାଲ ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଭଜନଲାଲ ଶର୍ମା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥିଲେ । ୫୬ ବର୍ଷୀୟ ଭଜନଲାଲ ଶର୍ମାଙ୍କ ଘର ରାଜସ୍ଥାନର ଭରତପୁରରେ। ସେ ସାଙ୍ଗାନେର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ସେ ଏଥର ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନରେ ଭଜନଲାଲ ଶର୍ମାଙ୍କୁ ୧,୪୫,୧୬୨ ଖଣ୍ଡ ଭୋଟ ମିଳିଛି। ଫଳରେ ସେ ନିକଟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।