ଭୁବନେଶ୍ୱର : କଂଗ୍ରେସ ତରଫରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଛି । ଏହି ପଦଯାତ୍ରାର ନେତୃତ୍ୱ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କେରଳର ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀ କରୁଛନ୍ତି । ଏହି ପଦଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି ଓ କାଶ୍ମୀରରେ ଏହି ଯାତ୍ରା ଶେଷ ହେବ । ସେପଟେ ଏହି ପଦଯାତ୍ରାକୁ ସାରା ଦେଶରେ ପହଞ୍ଚାଇବା ପାଇଁ କଂଗ୍ରେସ ତରଫରୁ ବିଭିନ୍ନ ରାଜ୍ୟ ସ୍ତରୀୟ ଯାତ୍ରା ଆରମ୍ଭ କରାଯାଉଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ । ଏହି ଯାତ୍ରା ଅକ୍ଟୋବର ୩୧ରୁ ଆରମ୍ଭ ହେବ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଏହି ଅବସରରେ ଜୟରାମ ରମେଶ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳକୁ ସମାଲୋଚନା କରିଛନ୍ତି । ଉଭୟ ବିଜେପି ଓ ବିଜେଡି ଏକ ମୁଦ୍ରାର ଦୁଇ ପାର୍ଶ୍ୱ ଓ ପ୍ରଧାନମନ୍ତ୍ରୀଙ୍କ ଆଦେଶରେ ମୁଖ୍ୟମନ୍ତ୍ରୀ ଉଠନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆରଏସଏସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଯୋଗୁଁ ଭାରତ ଅଲଗା ହୋଇଯାଉଛି । ଏଥିପାଇଁ ‘ଭାରତ ଯୋଡ଼’ ପଦଯାତ୍ରା ଆରମ୍ଭ ହୋଇଛି । ଓଡିଶାରେ ବିଜେପି ଓ ବିଜେଡି ଏକ ମୁଦ୍ରାର ଦୁଇ ପାର୍ଶ୍ୱ ହୋଇଥିବାରୁ ଉଭୟ ଦଳ ବିରୋଧରେ ‘ଭାରତ ଯୋଡ଼’ ପଦଯାତ୍ରା କରାଯିବ ।
ସେହିପରି ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶାରେ ‘ ଭାରତ ଯୋଡ଼’ ସମ୍ପର୍କରେ କହିଛନ୍ତି ଯେ, ଅକ୍ଟୋବର ୩୧ରୁ ଭୁବନେଶ୍ୱରର ଇନ୍ଦିରା ଗାନ୍ଧୀ ପାର୍କରୁ ଏହି ଯାତ୍ରା ଆରମ୍ଭ ହେବ । ରାଜ୍ୟରେ ୨,୨୫୦ କିଲୋମିଟରର ପଦଯାତ୍ରା ହେବ । ଦୈନିକ ୨୦ କିଲୋମିଟର ଯାତ୍ରା କରାଯିବ । ଏହି ଯାତ୍ରା ସମୟରେ ୨୦ଟି ସଂସଦୀୟ ନିର୍ବାଚନମଣ୍ଡଳୀକୁ ସାମିଲ କରାଯିବ । ରାଜ୍ୟରେ ପ୍ରାୟ ୧୦୦ ଦିନ ପର୍ଯ୍ୟନ୍ତ ‘ଭାରତ ଯୋଡ଼’ ପଦଯାତ୍ରା ଜାରି ରହିବ ।