ୱାଶିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଆସିଛି ନାଟକୀୟ ମୋଡ। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଇଡେନ୍। ଚିଠି ଲେଖି ଏହାର ଘୋଷଣା କରିବା ସହ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରୁ ସେ ଓହରି ଯାଇଛନ୍ତି। ଦେଶ ଓ ଦଳର ହିତ ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ବାଇଡେନ୍।
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ବର୍ତ୍ତମାନର ଉପରାଷ୍ଟ୍ରପତି କମଳା ହାରିସ୍ଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରିବାକୁ ବାଇଡେନ ପ୍ରସ୍ତାବ ଦେଇଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଓ ଅନ୍ୟାନ୍ୟ କାରଣକୁ ନେଇ ବାଇଡେନ ତୀବ୍ର ସମାଲୋଚିତ ହୋଇଥିଲେ। ଦଳର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ପରୋକ୍ଷରେ ବାଇଡେନଙ୍କୁ ନିର୍ବାଚନରୁ ଓହରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବାଇଡେନ ଦେଶ ଓ ଦଳର ସ୍ବାର୍ଥ ପାଇଁ ନିର୍ବାଚନରୁ ଓହରିଯାଇଥିବା ସମ୍ପର୍କରେ ଘୋଷଣା କରିଛନ୍ତି। ସୋସିଆଲ ଏକ୍ସରେ ବାଇଡେନ ଲେଖିଛନ୍ତି ଯେ ଦେଶର ସ୍ବାର୍ଥ ଦୃଷ୍ଟିରୁ ମୁଁ ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରିଯାଉଛି। ଆଗାମୀ ଦିନରେ ମୁଁ ରାଷ୍ଟ୍ରପତି ଭାବେ ମୋର ଅବଶିଷ୍ଟ ଅବଧି କାର୍ଯ୍ୟ କରିବା ଉପରେ ଗୁରୁତ୍ବ ଦେବି। ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବା ମୋ ପାଇଁ ବଡ ସମ୍ମାନର ବିଷୟ। ୨୦୨୦ରେ ବାଇଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ ସେ ରିପବ୍ଲିକାନ ପାର୍ଟି ପ୍ରାର୍ଥ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଥିଲେ।