ସମ୍ବଲପୁର: ସମ୍ବଲପୁରର ଲୋକସଭା ଆସନ ଓ ବିଧାନସଭା ଆସନ ପାଇଁ ଆସନ୍ତା ୨୫ ତାରିଖରେ ମତଦାନ ହେବ। ନିର୍ବାଚନୀ ପ୍ରଚାର ପାଇଁ ସମୟ ସରି ଆସୁଥିବାବେଳେ ରାଜ୍ୟର ହଟ୍ ସିଟ୍ ସମ୍ବଲପୁରକୁ ଏବେ ବିଜେପିର କେନ୍ଦ୍ରୀୟ ନେତାମାନଙ୍କର ସୁଅ ଛୁଟିଛି। ଏହି କ୍ରମରେ ବିଜେପିର ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟାଙ୍କ ନେତତୃରେ ଶକ୍ତି ପ୍ରଦର୍ଶନ କରାଯାଇ ଦଳର ପ୍ରଚାର ପାଇଁ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା।
ରବିବାର ସମ୍ବଲପୁରର ଅଇଁଠାପାଲି ଛକସ୍ଥିତ ପିଏଚଡି ପଡ଼ିଆରୁ ଶହ ଶହ ସଂଖ୍ୟାରେ ବାଇକ ସହିତ ଯୁବମୋର୍ଚ୍ଚାର ସଦସ୍ୟମାନେ ଦଳ ସପକ୍ଷରେ ବିଭିନ୍ନ ସ୍ଲୋଗାନ ଦେଇ ଆଗକୁ ବଢ଼ିଥିଲେ। ଏହି ରାଲି ଅଇଁଠାପାଲିରୁ ବାହାରି ବୁଢ଼ାରଜା, ଫାଟକ, ଜିଏମ କଲେଜ ଛକ, ଲକ୍ଷ୍ମୀ ଟକିଜ ଛକ, ଜିଲାସ୍କୁଲ ଛକ, ଭୂତାପଡ଼ା ଛକ, ଜେଲଖାନା ଛକ, ଚରଭାଟି ଛକ, ଗୋବିନ୍ଦତୋଲା ଦେଇ ଧନୁପାଲି ଛକରେ ପହଞ୍ଚିଥିଲା। ଏହି ଅବସରରେ ତେଜସ୍ୱୀ ସୂର୍ଯ୍ୟା କହିଛନ୍ତି ଯେ, ଏଥର ସାରା ଦେଶରେ ଯୁବ ସମାଜ ମୋଦୀ ସରକାରଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ମନସ୍ଥ କରି ସାରିଛି। ବିଗତ ୨୪ ବର୍ଷରେ ଓଡ଼ିଶାରେ ଯେତେ ଉନ୍ନତି ଓ ପରିବର୍ତ୍ତନ ହେବା କଥା, ତାହା ହୋଇ ପାରିନାହିଁ। ସମ୍ଭାବନାର ରାଜ୍ୟ ଓଡ଼ିଶାରେ ଏଥର ପରିବର୍ତ୍ତନ ସୁନିଶ୍ଚିତ। ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ହେବ ବୋଲି ଶ୍ରୀ ସୂର୍ଯ୍ୟା କହିଛନ୍ତି। ଏହି ବିଶାଳ ରାଲିରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତିଙ୍କ ସମେତ ଅନେକ ପଦାଧିକାରୀ ଓ କର୍ମୀମାନେ ଉପସ୍ଥିତ ରହି ବିଜେପି ପାଇଁ ଭୋଟ୍ ଭିକ୍ଷା କରିଥିଲେ।