ନୂଆଦିଲ୍ଲୀ: ବବ୍ବାର ଖାଲସା ଇଣ୍ଟର ନ୍ୟାସନାଲ ବା ବିକେଆଈ ନେତା ଗ୍ୟାଙ୍ଗଷ୍ଟର ଲଖବୀର ସିଂହ ଲାଣ୍ଡାକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଏକ ଅଧିସୂଚନା ଜାରି କରି ଏହି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ଆତଙ୍କୀ ଲାଣ୍ଡା ପଞ୍ଜାବର ତରନତାରନ ଜିଲ୍ଲାର ବାସିନ୍ଦା । ବର୍ତ୍ତମାନ ସମୟରେ ସେ ପଞ୍ଜାବ ଛାଡ଼ି କାନାଡ଼ାର ଆଡମୋଣ୍ଟନ, ଅଲ୍ବର୍ଟା ରହୁଛି ।
କେନ୍ଦ୍ର ଗୃହମନ୍ତ୍ରାଳୟ ଶୁକ୍ରବାର ଏକ ଅଧିସୂଚନା ଜାରି କରି ଆତଙ୍କବାଦୀ ଘୋଷଣା କରିବା ନିଷ୍ପତ୍ତି ନେଇଛନ୍ତି । ଅଧିସୂଚନା ଅନୁଯାୟୀ, ଲାଣ୍ଡା ପାକିସ୍ତାନରୁ ଭାରତକୁ ହେଉଥିବା ଅସ୍ତ୍ରଶସ୍ତ୍ର ତସ୍କରୀରେ ସମ୍ପୃକ୍ତ ଥିଲା । ଅସ୍ତ୍ରଶସ୍ତ୍ର ଓ ଆଇଇଡି ଡିଭାଇସ୍ କେଉଁଠି କି ଯିବ ଏହା ଉପରେ ନଜର ରଖୁଥିଲା । ୨୦୨୨ରେ ପଞ୍ଜାବ ପୋଲିସ ଗୁଇନ୍ଦା ବିଭାଗ ମୁଖ୍ୟାଳୟ ଉପରେ ହୋଇଥିବା ରକେଟ୍ ପ୍ରୋପଲେ୍ଡ ଗ୍ରେନେଡ୍ ହମଲାର ମାଷ୍ଟର ମାଇଣ୍ଡ ଥିଲା ଲାଣ୍ଡା । ପଞ୍ଜାବ ପୋଲିସ ଲଖବୀର ସିଂହ ଲାଣ୍ଡା ନାଁରେ ଏନଏସଏ ଆକ୍ଟରେ ମାମଲା ରୁଜୁ କରିଥିଲା । ମାତ୍ର ଲାଖବୀର ଏବେ ଫେରାର୍ ରହିଛି , ସେ କାନାଡାରେ ଲୁଚିଥିବା ସୂଚନା ମିଳିଛି । ଲାଣ୍ଡାର ନାଁ ଖଲିସ୍ତାନ ସମର୍ଥକ ସହିତ ଜଡ଼ିତ ରହିଛି ।