ଭୋପାଳ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଥିବା ଏକ ଆଫ୍ରିକୀୟ ଅଣ୍ଡିରା ଚିତା ‘ପବନ’ର ମୃତ୍ୟୁ ଘଟିଛି। ମଙ୍ଗଳବାର ପବନର ମୃତଦେହ ପାର୍କରେ ଥିବା ଏକ ନାଳ ନିକଟରେ ପଡିଥିବା ଲକ୍ଷ୍ୟ କରାଯାଇଥିଲା। ଉକ୍ତ ଚିତାର ମୁଣ୍ଡ ଓ ଶରୀରର ଅଗ୍ରଭାଗ ପାଣିରେ ବୁଡି ରହିଥିଲା। ତେବେ ଚିତା ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ଜଣାପଡିଛି। ପାଣିରେ ବୁଡି ଚିତାଟି ପ୍ରାଣ ହରାଇଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପାର୍କ କର୍ତ୍ତୃପକ୍ଷ କହିଛନ୍ତି।
ଭାରତୀୟ ପାଣିପାଗ ସହ ଖାପ ଖୁଆଇ ପାରୁନଥିବାରୁ ଆଗାମୀ ଦିନରେ ସୋମାଲିଆ, ତାଞ୍ଜାନିଆ, ସୁଦାନ ଓ କେନିୟା ଭଳି ଆଫ୍ରିକୀୟ ରାଷ୍ଟ୍ରରୁ ଚିତା ଆଣିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଚିତା ବଂଶ ବୃଦ୍ଧି କରିବାକୁ ୨୦୨୨ରେ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଅଣାଯାଇ କୁନୋ ପାର୍କରେ ଛଡାଯାଇଥିଲା।