ନୂଆଦିଲ୍ଲୀ : ନିଜ ଚଳଚ୍ଚିତ୍ର ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ରାମ ଗୋପାଳ ବର୍ମା । ଏହି ପରିପ୍ରେକ୍ଷୀରେ ପୁଣି ଥରେ ବିବାଦରେ ଫସିଛନ୍ତି ରାମ ଗୋପାଳ। ତାଙ୍କ ଆଗାମୀ ଫିଲ୍ମ ‘ବ୍ୟୁହମ୍’କୁ ନେଇ ଏବେ ବିବାଦ ଘେରକୁ ଆସିଛନ୍ତି । ଫିଲ୍ମଟି ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା, ହେଲେ ଏହା ପୂର୍ବରୁ ତେଲେଙ୍ଗାନା ହାଇକୋର୍ଟ ଫିଲ୍ମ ରିଲିଜ ଉପରେ ରୋକ ଲଗାଇଛନ୍ତି । କୁହାଯାଉଛି ‘ବ୍ୟୁହମ୍’ ହେଉଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ବାୟୋପିକ୍। ଯେଉଁଥିରୁ ନକ୍ରରାତ୍ମକ ଭାବେ ସବୁ ଦର୍ଶାଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବିବାଦ ।
ସିନେମା ‘ବ୍ୟୁହମ୍’ରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜାଶେଖର ରେଡ୍ଡୀଙ୍କ ଦେହାନ୍ତ ବେଳର ଘଟଣା ରହିଛି । ଯେଉଁଥିରେ ନାଇଡୁଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ହେଲେ ହାଇକୋର୍ଟରେ ପିଟିସନ ଦାଖଲ ପରେ ତେଲେଙ୍ଗାନା ହାଇକୋର୍ଟ ଏଥିରେ ରୋକ ଲାଗାଇଛନ୍ତି । ଏଥିସହ ଫିଲ୍ମକୁ ସେନସର ବୋର୍ଡ ସାର୍ଟିଫିକେଟ୍ ମିଳିଥିଲେ ବି ଏହାକୁ ରଦ୍ଧ କରିଛନ୍ତି ହାଇକୋର୍ଟ । ଏବେ ମାମଲାର ପରବର୍ତୀ ଶୁଣାଣୀ ଜାନୁୟାରୀ ୧୧ ତାରିଖରେ ହେବ ।
ଏହି ଚଳଚ୍ଚିତ୍ର ବିରୋଧରେ ଟିଡିପି ସାଧାରଣ ସମ୍ପାଦକ ନାରା ଲୋକେଶ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ଆବେଦନରେ ସେ ନିର୍ମାତାମାନଙ୍କୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ନିର୍ଦ୍ଦେଶରେ କାମ କରୁଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ଏହି ଆବେଦନରେ ସେ ଫିଲ୍ମକୁ ଏକ ପ୍ରଚାର ଚଳଚ୍ଚିତ୍ର ବୋଲି କହିଛନ୍ତି। ଏହି ଆବେଦନରେ ନାରା ଲୋକେଶ ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କ ନେତା ଏବଂ ପାର୍ଟିକୁ ଏହି ଚଳଚ୍ଚିତ୍ରରେ ବ୍ୟବହୃତ କରାଯାଇଛି ଏବଂ ଏହା ମାଧ୍ୟମରେ ତାଙ୍କୁ ଖୋଲାଖୋଲି ବଦନାମ କରାଯାଉଛି।