ନୂଆଦିଲ୍ଲୀ: ଚିକିତ୍ସା ପାଇଁ ସିଙ୍ଗାପୁର ଯିବାକୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କୁ ବୁଧବାର ଦିଲ୍ଲୀର ଏକ କୋର୍ଟ ଅନୁମତି ଦେଇଛନ୍ତି । ସ୍ୱତନ୍ତ୍ର ବିଚାରପତି (ସିବିଆଇ) ଗୀତାଞ୍ଜଳି ଗୋଏଲ ଲାଲୁଙ୍କୁ ଅକ୍ଟୋବର ୧୦ ରୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ବିଦେଶ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି | ରାଞ୍ଚିର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୧୬ରେ ପାସପୋର୍ଟ ଫେରସ୍ତ କରିବାକୁ ଲାଲୁଙ୍କ ନିବେଦନ ଗ୍ରହଣ କରିଥିଲେ।
ଆଇଆରସିଟିସି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ କେସରେ ଲାଲୁ ବର୍ତ୍ତମାନ ଜାମିନରେ ଅଛନ୍ତି। ଜାନୁଆରୀ ୨୦୧୯ରେ ଏକ କୋର୍ଟ ତାଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଥିଲେ। ସିବିଆଇ ଦ୍ବାରା ରୁଜୁ ମାମଲାରେ ଅଭିଯୋଗ ହୋଇଛି ଯେ ଲାଲୁ ପ୍ରସାଦ ରେଳ ମନ୍ତ୍ରୀ ଥିବାବେଳେ ଜମି ଆକାରରେ ଲାଞ୍ଚ ନେଇ ପାଟନାରେ ଦୁଇଟି ରେଳ ହୋଟେଲର ରକ୍ଷଣାବେକ୍ଷଣ ଦାୟିତ୍ବ ଏକ ବେନାମୀ କମ୍ପାନୀକୁ ଦେଇଥିଲେ ।