ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ତିନି ଦିନ ବ୍ୟାପି ଆରମ୍ଭ ହେବ ମହାପ୍ରଭୁଙ୍କ ଦେବଦୀପାବଳି ନୀତି । ଏହି ତିନି ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧବେଶରେ ବିଭୂଷିତ ହୋଇଥାନ୍ତି । ଏହି ଅବସରରେ ତିନି ଠାକୁର ଶ୍ବେତ ବସ୍ତ୍ର ପରିଧାନ କରିବେ। ଠାକୁରଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ। ପୂଜାପଣ୍ଡାମାନେ ପିଣ୍ଡଦାନ କରିବେ। ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ ।
ଏହି ଅବସରରେ ଶ୍ରୀବିଗ୍ରହଙ୍କ ଶ୍ରାଦ୍ଧ ବେଶ ଅନୁଷ୍ଠିତ ହେବ । ଏହି ଅବସରରେ ଏକଲକ୍ଷ ଦୀପଶିଖାରେ ଝଲସିବ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ । ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ ଦୀପମୟ ହେବ । ଆସନ୍ତା ୧୨ ତାରିଖ ସନ୍ଧ୍ୟା ୫ଟାରୁ ରାତି ୭ଘଟିକା ପର୍ଯ୍ୟନ୍ତ ପବିତ୍ର ଦେବ ଦୀପାବଳୀ ଅବସରରେ ଏହି ଦୀପଦାନ କାର୍ଯ୍ୟକ୍ରମ ହେବ । ଉକ୍ତ ଦିନ ଦିନ ୧୦ଟାଠାରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ମେଡିକାଲ୍ ଛକସ୍ଥିତ ହାତୀ ଆଖଡ଼ା ମଠ ଠାରେ ବିଶ୍ୱଶାନ୍ତି ଅଗ୍ନିହୋତ୍ର ଯଜ୍ଞର ଆୟୋଜନ କରାଯାଇଛି । ସନ୍ଧ୍ୟା ୭ଟା ୩୦ରେ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ମୁକ୍ତାକାଶ ରଙ୍ଗମଞ୍ଚରେ ପୁରୀର ବିଶିଷ୍ଟ କଣ୍ଠଶିଳ୍ପୀକୁ ନେଇ ଭଜନ ପରିବେଷଣ କରାଯିବ ବୋଲି ଓଡ଼ିଶା ଇଣ୍ଟରନ୍ୟାସନାଲ୍ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।