ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀ ଡେଲୋଏଟ ଭୁବନେଶ୍ୱରରେ ବୃହତ ଟେକ୍ନୋଲୋଜି ସେଂଟର ଖୋଲିବାକୁ ଯାଉଛି ।
ଏହି କ୍ରମରେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡେଲୋଏଟର ଗ୍ଲୋବାଲ ସିଇଓ ପୁନିତ ରେନଜେନ ସାକ୍ଷାତ୍ କରିଛନ୍ତି । ସାକ୍ଷାତ୍ କାଳରେ କେନ୍ଦ୍ରମନ୍ତ୍ରୀଙ୍କ ପୂର୍ବ ଅନୁରୋଧକୁ ରକ୍ଷା କରି ଡେଲୋଏଟ ଭୁବନେଶ୍ୱର ଓ କୋଏମ୍ବାଟୁର ଠାରେ ଏକ ବୃହତ ଟେକ୍ନୋଲୋଜି ସେଣ୍ଟର ଆରମ୍ଭ କରିବା ପାଇଁ ଯାଉଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଡେଲୋଏଟର ଏହି ପଦକ୍ଷେପ ଯୁବବର୍ଗଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତା ବିକାଶର ଇକୋସିଷ୍ଟମକୁ ସୁଦୃଢ଼ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଅବସରରେ ଡେଲୋଏଟର ଗ୍ଲୋବାଲ ସିଇଓ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ଭାରତରେ ଥିବା ଅମାପ ପ୍ରତିଭାର ସମ୍ପୂର୍ଣ୍ଣ ଉପଯୋଗ କରିବା ଉପରେ ଆଲୋଚନା ହୋଇଥିଲା । ସେହିପରି ଗ୍ରାମାଞ୍ଚଳରେ ଥିବା ଯୁବପିଢିଙ୍କ ପାଇଁ ସୁଯୋଗ ତିଆରି କରିବା ଏବଂ ଡିଜିଟାଲ ଅର୍ଥନୀତିରେ ଦେଶ ଦ୍ରୁତ ଗତିରେ ଅଗ୍ରସର ହେବା ଦିଗରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଭାରତ ପ୍ରତି ପୁନିତି ରେନଜେନଙ୍କ ପ୍ରତିବଦ୍ଧତା ଏବଂ ଭାରତରେ ଥିବା ସମ୍ଭାବନା ତଥା ପ୍ରତିଭାଙ୍କୁ ଅନ୍ୱେଷଣ କରିବାରେ ଡେଲୋଏଟର ପଦକ୍ଷେପ ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।