କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପଡ଼ୁଥିବା ଏହି ପର୍ବ ସାଧାରଣତଃ ଦୀପାବଳିର ପରିବେଶକୁ ଅଧିକ ଉତ୍ସବମୁଖର କରିଥାଏ। ଆଉ ଧନ୍ତେରସ୍କୁ ଅଧିକ ମୁଖରିତ ଓ ଚଳଚଞ୍ଚଳ କରେ ଏହି ଦିନର ସୁନା କିଣା। ଏହି ଦିନ ମା’ ମହାଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ବିଶ୍ବାସ ରହିଛି, ଧନତେରସ୍ ଦିନ କିଛି ସୁନା କିମ୍ବା ରୁପା ଘରକୁ ଆଣିବା ଶୁଭ ହୋଇଥାଏ। ଏଣୁ ଆଜିର ଆଧୁନିକ ଯୁଗରେ ଧନ୍ତେରସ୍କୁ ସୁନା କିଣିବା ପାଇଁ ସବୁଠାରୁ ଶୁଭ ଦିନ ବୋଲି ଗ୍ରହଣ କରାଯାଇଛି। ଅନ୍ୟପଟେ, ଧନ୍ତେରସ୍ ଦିନ ଆୟୁର୍ବେଦର ଦେବତା ଧନ୍ବନ୍ତରୀଙ୍କ ପୂଜା କରାଯାଇଥାଏ। ବିଭିନ୍ନ ରୋଗର ନିରାକରଣ ଓ ଜନକଲ୍ୟାଣ ପାଇଁ ପ୍ରଭୁ ଧନ୍ବନ୍ତରୀ ଆୟୁର୍ବେଦ ଜ୍ଞାନକୁ ସର୍ବସମ୍ମୁଖକୁ ଆଣିଥିଲେ। ଏଣୁ ଦେଶରେ ଧନ୍ତେରସ୍କୁ ‘ଜାତୀୟ ଆୟୁର୍ବେଦ ଦିବସ’ ଭାବେ ପାଳନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି। ୨୦୧୬ ମସିହା ଅକ୍ଟୋବର ୨୮ ତାରିଖ ଦିନ ଧନ୍ତେରସ୍ ଅବସରରେ ଦେଶରେ ପ୍ରଥମ ‘ଜାତୀୟ ଆୟୁର୍ବେଦ ଦିବସ’ ପାଳନ ହୋଇଥିଲା।
ଶାସ୍ତ୍ରାନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଗୋଟିଏ ହାତରେ ଅମୃତ କଳସ ଓ ଅନ୍ୟ ହାତରେ ଆୟୁର୍ବେଦ ସମ୍ପର୍କିତ ଏକ ପବିତ୍ର ଗ୍ରନ୍ଥ ଧରି ଆର୍ବିଭାବ ହୋଇଥିଲେ। ପୁରାଣରେ ଏଭଳି ମାନ୍ୟତା ରହିଛି ଯେ ଧନ୍ତନ୍ବରୀ ଦେବାତାମାନଙ୍କ ଚିକିତ୍ସକ ଥିଲେ। ଏଥିସହ ଧନ୍ବନ୍ତରୀଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ମଧ୍ୟ ଗ୍ରହଣ କରାଯାଏ। ସାରା ସଂସାରରେ ଚିକିତ୍ସା ବିଜ୍ଞାନର ବିସ୍ତାର ଓ ପ୍ରସାର ପାଇଁ ଭଗବାନ ବିଷ୍ଣୁ ଧନ୍ୱନ୍ତରୀଙ୍କ ଅବତାର ନେଇଥିଲେ ବୋଲି ବିଶ୍ବାସ ରହିଛି। ଏହି ଦିନ ଭଗବାନ ଧନ୍ୱନ୍ତରୀଙ୍କ ଆର୍ବିଭାବ ତଥା ସୁଖ, ସମୃଦ୍ଧି ଲାଭ ପାଇଁ ଧନ୍ତେରସ୍ ପାଳନ କରାଯାଏ। ଶାସ୍ତ୍ର ମତେ, ଯମରାଜାଙ୍କ ଦୃଷ୍ଟିରୁ ନିଜ ଆତ୍ମୀୟସ୍ୱଜନଙ୍କୁ ରକ୍ଷା ପାଇଁ ମଧ୍ୟ ଏହି ଦିନ ଯମଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଭାରତୀୟ ସଂସ୍କୃତିରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଏ। ଏଥିପାଇଁ ସ୍ୱାସ୍ଥ୍ୟକୁ ଧନଠାରୁ ଅଧିକ ମନେ କରାଯାଏ। ଏହି ଦିନ ସଂଧ୍ୟାରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ମାଟି ଦୀପ ଜାଳି, ଭଜନ ଗାଇ ମା’ଙ୍କୁ ଆବାହନ କରାଯାଇଥାଏ। ମହାରାଷ୍ଟ୍ରରେ ଏହି ଧନ୍ତେରସ୍ ପର୍ବ ବେଶ୍ ଜାକଜମକରେ ପାଳନ କରାଯାଏ। ଧନିଆ ଓ ଗୁଡ଼ ମିଶ୍ରିତ ଏକ ନୈବେଦ୍ୟ ମଧ୍ୟ ଏହି ସମୟରେ ମା’ଙ୍କୁ ଭୋଗ ଲଗାଯାଇଥାଏ। ଚାଉଳ ବଟାରେ ମା’ଙ୍କ ଛୋଟ ଛୋଟ ପାଦ ବି ଅଙ୍କାଯାଏ। ଏଥିସହ କିଛି ଦାମୀ ଧାତୁ ଯଥା ରୁପା କିମ୍ବା ସୁନାର ବାସନ ବା ଅଳଙ୍କାର ଆଣିବାକୁ ଏହିଦିନ ଶୁଭ ମନାଯାଇଥାଏ।