ଭୁବନେଶ୍ୱର – ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ତାତିରୁ ନିସ୍ତାର ମିଳିଛି । ଲଗାତର ୨୧ ଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିଛି। କାଳବୈଶାଖୀ ବର୍ଷା ଯୋଗୁଁ ଉପକୂଳରେ ଆଶ୍ୱସ୍ତି ମିଳିଥିବା ବେଳେ ପଶ୍ଚିମ ଓଡ଼ିଶାରେ କିନ୍ତୁ ସ୍ଥିତି ଅପରିବର୍ତ୍ତିତ ରହିଛି। ପଶ୍ଚିମ ଓଡ଼ିଶାର ୭ଟି ସହରର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଓଡ଼ିଶାର ମୋଟ ୧୯ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରହିଛି।
ଆଜି ବଲାଙ୍ଗିର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ .୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୪୪ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ଦ୍ବିତୀୟ ଉତ୍ତପ୍ତ ସହର ହୋଇଛି। ବୌଦ୍ଧରେ ୪୩.୫, ଝାରସୁଗୁଡ଼ାରେ ୪୩.୪, ସମ୍ବଲପୁରରେ ୪୩.୪, ଭବାନୀପାଟଣା ଓ ବରଗଡ଼ରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।