ବ୍ରହ୍ମପୁର: ଆସନ୍ତା ୧୩ ତାରିଖ ସୋମବାରରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥି ଅନ୍ତର୍ଗତ ବ୍ରହ୍ମପୁର ଲୋକସଭା ଆସନ ତଥା ଏହା ଅଧୀନରେ ଥିବା ୫ ବିଧାନସଭା ଆସନ ଯଥା ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟିରେ ମଧ୍ୟ ଭୋଟଗ୍ରହଣ ହେବ। ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି। ଦିଗପହଣ୍ଡି ଓ ଚିକିଟି ବିଧାନସଭା ଆସନ ପାଇଁ ପୋଲିଂ ଅଧିକାରୀ ଓ କର୍ମଚାରୀ ଶନିବାର ବୁଥ୍ ଅଭିମୁଖେ ବାହାରିଛନ୍ତି। ଡିସପୋଜାଲ୍ କେନ୍ଦ୍ରରୁ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ସଂଗ୍ରହ କରି ସେମାନେ ନିର୍ଦ୍ଦିଷ୍ଟ ଗାଡ଼ିରେ ନିଜ ନିଜର ବୁଥ୍ ସକାଶେ ଯାତ୍ରା କରିଛନ୍ତି। ରବିବାର ଭୋରରୁ ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବୁଥରେ ନିୟୋଜିତ ପୋଲିଂ ଷ୍ଟାଫ୍ ଡିସପୋଜାଲ୍ କେନ୍ଦ୍ରରୁ ସାମଗ୍ରୀ ଧରି ବାହାରିବେ। ଏକକାଳୀନ ଲୋକସଭା ଓ ବିଧାନସଭା ସକାଶେ ଭୋଟଗ୍ରହଣ ପାଇଁ ସାମଗ୍ରୀ ଓ କର୍ମଚାରୀଙ୍କୁ ପଠାଯାଉଛି। ପୂର୍ବରୁ ଏମାନଙ୍କ ପ୍ରଶିକ୍ଷଣ ମଧ୍ୟ ହୋଇଥିଲା।
ଉପରୋକ୍ତ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୧ ଲକ୍ଷ ୨୭ ହଜାର ୯୧୩ ଜଣ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୭୪୬୯ ଜଣ ପୋଲିଂ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି। ଆଜି ଆଉ କିଛି ସମୟପରେ ଏସବୁ ଆସନ ପାଇଁ ପ୍ରଚାର ଥମିଯିବ। ଶାନ୍ତ ହୋଇଯିବ ପ୍ରଚାର କୋଳାହଳ। ତେଣେ ପୋଲିସ ପ୍ରଶାସନ ଏବଂ ନିର୍ବାଚନ କମିଶନଙ୍କ ଦ୍ବାରା ନିୟୋଜିତ ପର୍ଯ୍ୟବେକ୍ଷକ ଟିମ୍ ଦ୍ବାରା ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଗାଡ଼ି ମୋଟର ତନଖି କରାଯାଉଛି। ବେଆଇନ ଅର୍ଥ, ଆପତ୍ତିଜନକ ସାମଗ୍ରୀ ଚାଲାଣ ରୋକିବା ଉଦ୍ଦେଶ୍ୟରେ ପାଟ୍ରୋଲିଂ ସମେତ କଡ଼ାକଡ଼ି ଯାଞ୍ଚ ଜାରି ରହିଛି।