ଭୁବନେଶ୍ବର – ରାଜ୍ୟରେ ବେଆଇନ ନିଶାଦ୍ରବ୍ୟ କାରବାର ଓ ଚୋରାଚାଲାଣ ରୋକିବା ପ୍ରସଙ୍ଗରେ ତୃତୀୟ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ରାଜ୍ୟରେ ନିଶାଦ୍ରବ୍ୟ ଏବଂ ମାନସିକ ସ୍ତରରେ ମାରାତ୍ମକ ପ୍ରଭାବ ପକାଉଥିବା ଏହିଭଳି ପଦାର୍ଥର ଉତ୍ପାଦନ , କ୍ରୟ , ବିକ୍ରୟ ଓ କାରବାର ସଂପର୍କିତ ଥିବା ଜାତୀୟ ଆଇନର କଡାକଡି ଅନୁପାଳନ ସଂପର୍କରେ ପଦକ୍ଷେପ ନିଆଯିବାକୁ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବେଆଇନ ନିଶା ଦ୍ରବ୍ୟ କାରବାର ଓ ନିଶାସେବନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ , ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଉପ ମହାନିର୍ଦ୍ଦେଶିକା ମୋନିକା କେ.ବାତ୍ରାଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ରେଲୱେ କୋଷ୍ଟାଲ ସିକ୍ୟୁରିଟି ଏଡି.ଜି ଦୟାଲ ଗଙ୍ଗୱାର , ରାଜ୍ୟ ପୋଲିସ ପ୍ରଶାସନ , ଗୃହ ବିଭାଗ , ଅବକାରୀ ବିଭାଗ ସମେତ , ବିଦ୍ୟାଳୟ ଓ ଗଣଶିକ୍ଷା , ସ୍ବାସ୍ଥ୍ୟ ବିଭାଗ ଆଦି ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ , ସୀମା ସୁରକ୍ଷାବଳ , ନାର୍କୋଡିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜେନେରାଲ ଡାଇରେକ୍ଟର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଭାରତ ସରକାରଙ୍କ ନାର୍କୋଟିକ୍ସ ବ୍ୟୁରୋର ଉପ ମହାନିର୍ଦ୍ଦେଶିକା ବିଭିନ୍ନ ରାଜ୍ୟରେ ନିଶା ଦ୍ରବ୍ୟ କାରବାରର ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ କରି ‘ ଜୀବନକୁ ହଁ ଓ ନିଶାକୁ ନାଁ ‘ ଏବଂ ‘ ନିଶା ମୁକ୍ତ ଭାରତ’ର ଆହ୍ୱାନ ଦେଇଥିଲେ । ଓଡ଼ିଶା ଦାୟିତ୍ବରେ ଥିବା ରାଜ୍ୟ ସ୍ବତନ୍ତ୍ର ଟାସ୍କ ଫୋର୍ସ ଅଧିକାରୀ ଜେନେରାଲ ପଙ୍କଜ ଓଡ଼ିଶାରେ ନିଶାଦ୍ରବ୍ୟ କାରବାର ସଂପର୍କରେ ସୂଚନା ଦେଇ କହିଥିଲେ ଯେ , ପୂର୍ବରୁ ରାଜ୍ୟରେ ୧୦ ରୁ ଅଧିକ ଜିଲ୍ଲାରେ ଗଞ୍ଜେଇ ଚାଷ କରାଯାଉଥିଲା । ସେଥିରୁ ଅଧିକାଂଶ ପାହାଡିଆ , ଜଙ୍ଗଲପୂର୍ଣ୍ଣ ଓ ନକ୍ସଲ ପ୍ରଭାବିତ ଅଂଚଳ । ଏବେ ରାଜ୍ୟରେ ନକ୍ସଲ ଉପଦ୍ରୁତ ଅଂଚଳ କମିଯିବା ଫଳରେ ଅଣ ନକ୍ସଲ ପ୍ରଭାବିତ ଅଂଚଳରେ ଗଞ୍ଜେଇ ଚାଷ ପ୍ରାୟତଃ ନାହିଁ । ବ୍ରାଉନ୍ ସୁଗାର ( ହେରୋଇନ୍ ) ମୁଖ୍ୟତଃ ପଶ୍ଚିମ ବଙ୍ଗ ( ମୁର୍ଶିଦାବାଦ , ନଦିଆ , ବର୍ଦ୍ଧମାନ ଜିଲ୍ଲା ) ରୁ କୋଲକତା ଓ ବାଲେଶ୍ବର ଦେଇ ଉପକୂଳ ଜିଲ୍ଲାକୁ ଆସିଥାଏ । ନିଶାଯୁକ୍ତ କଫ୍ ସିରପ ମୁଖ୍ୟତଃ ଛତିଶଗଡ ଓ ପଶ୍ଚିମବଙ୍ଗରୁ ପଶ୍ଚିମ ଓଡ଼ିଶାର ବଲାଙ୍ଗିର , ସମ୍ବଲପୁର ଓ ବରଗଡ ଆଦି ଜିଲ୍ଲାକୁ ଆସିଥାଏ । ବେଆଇନ ଗଞ୍ଜେଇ ଓ ଅଫିମ ଚାଷ ପାଇଁ ପ୍ରତି ବର୍ଷ ଚାଷ ସମୟରେ ବିଭିନ୍ନ ସଂସ୍ଥା ସାହାଯ୍ୟରେ ଅନୁସନ୍ଧାନ କରାଯାଇ ସେସବୁକୁ ନଷ୍ଟ କରାଯାଉଛି । ଗତ ୩ ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ପରିସଂଖ୍ୟାନକୁ ଦେଖିଲେ ଜଣାପଡେ ଯେ , ରାଜ୍ୟରେ ୨୦୧୮ – ୧୯ ମସିହାରେ ୧୧ , ୬୨୭ ଏକର ଗଂଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ୨୦୨୨ – ୨୩ ରେ ୨୪ ହଜାର ୩୯୫ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।
ସେହିପରି ରାଜ୍ୟ ଓ ଆନ୍ତଃ ରାଜ୍ୟରେ କିଛି ବର୍ଷ ଧରି ନିଶା ଔଷଧ କାରବାର କରୁଥିବା କ୍ଷେତ୍ରରେ ରେକର୍ଡ ସଂଖ୍ୟକ ମାମଲା ପଂଜୀକୃତ ହେବା ସହ ନିଶା ଦ୍ରବ୍ୟ ଜବତ କରାଯାଇଛି । ୨୦୧୮ ମସିହାରେ ୬୦୧ ମାମଲା ପଂଜୀକୃତ ଏବଂ ୫୨୩ କ୍ଲିଣ୍ଟାଲ ନିଶାଦ୍ରବ୍ୟ ଜବଦ କରାଯାଇ ୭୭୪ ଜଣ ଗିରଫ ହୋଇଥିବା ବେଳେ ୨୦୨୩ ଏପ୍ରିଲ ମାସ ଶେଷ ସୁଦ୍ଧା ୧୧୨୫ ଟି ମାମଲା ପଂଜୀକୃତ କରାଯାଇ ୮୭୯ ବିଣ୍ଟାଲ ନିଶାଦ୍ରବ୍ୟ ଜବତ ଓ ୧୪୦୫ ଜଣଙ୍କୁ ଗିରଫ କରାଯାଇଅଛି । ବ୍ରାଉନ୍ ସୁଗାର ମାମଲାରେ ୨୦୧୮ ରେ ୫୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦୨୩ ରେ ୩୦୧ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ପକ୍ଷରେ ନିଶାଦ୍ରବ୍ୟ କାରବାର ରୋକିବା କ୍ଷେତ୍ରରେ ଆଇନ ଅନୁପାଳନକାରୀ ସଂସ୍ଥାମାନଙ୍କ ସହିତ ନିୟମିତ ଯୋଗାଯୋଗ କରାଯାଇ ଚଢ଼ଉ ଉପରେ ଗୁରୁତ୍ବ ଦିଆଯାଉଛି । କମ୍ପ୍ୟୁଟରୀକୃତ ଡାଟାବେସ ଜରିଆରେ ତଥ୍ୟ ପରସ୍ପରକୁ ପ୍ରେରଣ ସହିତ ବରିଷ୍ଠ ଅଧିକାରୀମାନଙ୍କ ଦ୍ବାରା ନିୟମିତ ସମନ୍ୱୟ ବୈଠକ କରାଯାଉଛି ।
ରାଜ୍ୟରେ ଜିଲ୍ଲାସ୍ତରରେ ସମନ୍ବୟ ବୈଠକ , ନିଶା ନିବାରଣ ଓ ଥଇଥାନ କେନ୍ଦ୍ର , ଚଢ଼ଉରେ ସାମିଲ ହେଉଥିବା ସଂସ୍ଥାମାନଙ୍କର ଦକ୍ଷତା ବୃଦ୍ଧି , ବେଆଇନ ଗଞ୍ଜେଇ ନିଶା ଔଷଧ କାରବାର ରୋକିବା ଦିଗରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ , ଜନ ପ୍ରତିନିଧୂ , ସ୍ବୟଂସହାୟକ ଗୋଷ୍ଠୀ ଓ ବିଭିନ୍ନ ସଂଗଠନମାନଙ୍କୁ ସାମିଲ କରାଯାଇ ସଚେତନ କାର୍ଯ୍ୟକ୍ରମ କରାଯାଉଥିବା ଜେନେରାଲ ପଙ୍କଜ କହିଥିଲେ । ବୈଠକରେ ଗଞ୍ଜେଇ ଚାଷ କରୁଥିବା ଅଂଚଳରେ ଚାଷୀମାନଙ୍କୁ ଜୀବିକା ନିର୍ବାହ ପାଇଁ ବଦଳ ଫସଲ କରିବା ସଂପର୍କରେ ଗୁରୁତ୍ଵ ଦିଆଯାଇଛି । ନିର୍ଦ୍ଦିଷ୍ଟ ଜିଲ୍ଲା ଭିତ୍ତିରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତି ସଂପର୍କରେ ଗୃହ ବିଭାଗ , ଅବକାରୀ ବିଭାଗ , କୃଷି , ଜଙ୍ଗଲ ବିଭାଗ ଏ ସଂପର୍କରେ ସ୍ଵତନ୍ତ୍ର ପ୍ରସ୍ତୁତି କରିବା ଆଲୋଚନା କରାଯାଇଛି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ସ୍ବାଭିମାନ ଅଂଚଳରେ ଲୋକମାନଙ୍କୁ ଜୀବିକା ନିର୍ବାହ ପାଇଁ ଔଷଧୀୟ ଲେମ୍ବୁ ଘାଷ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଥିବା ପ୍ରକାଶ କରିଥିଲେ । ପଂଚାୟତିରାଜ , କୃଷି ଓ କୃଷକ ସଶକ୍ତିକରଣ ବିଭାଗ , ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ , ମିଶନ ଶକ୍ତି , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆଦି ବିଭାଗ ଏହି ଯୋଜନାରେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । ବୈଠକରେ ବିଭିନ୍ନ ଅଧିକାରୀମାନେ ନିଜ ନିଜର ମତ ରଖୁଥିଲେ । ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନେ ଏକାଧ୍ଵକ ଥର ନିଶା ସେବନ କରି ଧରା ପଡିଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ବହିଷ୍କାର ପାଇଁ ପଦକ୍ଷେପ ନିଆଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଛନ୍ତି ।
ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ନିଶା ଦ୍ରବ୍ୟ ବ୍ୟବହାର ନ କରିବା ସଂପର୍କରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ । ଏହି ଆଇନ୍କୁ ଅନୁପାଳନ ପାଇଁ ରହୁଥିବା ବିଭିନ୍ନ ଆହ୍ବାନ ଓ ମୁକାବିଲା ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା ।