କୋଲକାତ : ପ୍ରସିଦ୍ଧ ଗାୟକ ରାସିଦ ଖାନଙ୍କର ମଙ୍ଗଳବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ଓ କୋଲକାତାରେ ତାଙ୍କର ଚିକିତ୍ସା ହେଉଥିଲା। ରାସିଦ ପ୍ରୋଷ୍ଟେଟ କ୍ୟାନସରରେ ଆକ୍ରାନ୍ତ ଥିଲେ। ସୂଚନା ଅନୁସାରେ ସେ କିଛି ଦିନ ହେଲା ଗୁରୁତର ଥିଲେ ଓ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖା ଯାଇଥିଲା। ମଙ୍ଗଳବାର ଅପରାହ୍ନ ୩ଟା ୪୫ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାସିଦ ଖାନଙ୍କ ପରଲୋକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକଟ କରିଛନ୍ତି।
ମମତା କହିଛନ୍ତି ଯେ ରାସିଦଙ୍କ ବିୟୋଗ ଦେଶ ତଥା ସଙ୍ଗୀତ ଜଗତ ନିମନ୍ତେ ଅପୁରଣୀୟ କ୍ଷତି। ଗତମାସରେ ସେରେବ୍ରାଲ ଆଟାକ ପରେ ରାସିଦଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ସେ ପ୍ରାରମ୍ଭିକ ପର୍ଯ୍ୟାୟରେ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ପରେ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ ବିକଳ୍ପ ବାଛିଥିଲେ। ଗତମାସରେ ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ସ୍ୱାସ୍ଥ୍ୟରେ ବେଶ୍ ସୁଧାର ଆସିଥିଲା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।