ନୂଆଦିଲ୍ଲୀ : ଆଜି ଜମ୍ମୁ ଓ କଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ। ୭ ଜିଲ୍ଲାର ୪୦ଟି ଆସନ ଲାଗି ଆରମ୍ଭ ହୋଇଛି ମତଦାନ। ସକାଳ ୭ଟାରୁ ଲୋକେ ଧାଡ଼ିରେ ଛିଡା ହୋଇ ଭୋଟ୍ ଦେଉଛନ୍ତି। ମୋଟ୍ ୩୯.୧୮ ଲକ୍ଷ ଭୋଟର ୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୪୦ ଆସନ ମଧ୍ୟରୁ ୨୪ଟି ଜମ୍ମୁ ଡିଭିଜନ ଏବଂ ୧୬ଟି କାଶ୍ମୀର ଘାଟିରୁ ରହିଛି । ଶେଷ ପର୍ଯ୍ୟାୟରେ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୮୭ ପୁରୁଷ ଓ ୨୮ ମହିଳା ରହିଛନ୍ତି । ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଅଧିକାଂଶ ସ୍ଥାନରେ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ, ବିଜେପି ଓ ପିଡିପି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି।
ଏହି ପର୍ଯ୍ୟାୟରେ ମୋଟ୍ ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୬୯ଜଣ କୋଟିପତି ଥିବାବେଳେ ୬୭ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି । ଜମ୍ମୁର ନଗରୋଟାରୁ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ସିଂହ ରାଣାଙ୍କ ସମ୍ପତ୍ତି ମୂଲ୍ୟ ସର୍ବାଧିକ ୧୨୬ କୋଟି ଟଙ୍କା । ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁର ବଡ଼ଭାଇ ଏଜାଜ୍ ଅହମ୍ମଦ ଗୁରୁଙ୍କ ଭାଗ୍ୟ ପରୀକ୍ଷା ହେବ । ସେ ସୋପୋର ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଉତ୍ତର କାଶ୍ମୀରର ଲଙ୍ଗେଟରୁ ଇଞ୍ଜିନିୟର ଶେଖ ଅବ୍ଦୁଲ୍ ରସିଦଙ୍କ ଭାଇ ଖୁର୍ସିଦ ଅହମ୍ମଦ ଶେଖ ନିର୍ବାଚନ ଲଢ଼ୁଛନ୍ତି । ଆସନ୍ତା ୮ ତାରିଖରେ ରେଜଲ୍ଟ ଆସିବ ।
ପ୍ରଥମ ପର୍ଯ୍ୟାୟରେ ୫୯ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିଲା ୫୭.୦୩ ପ୍ରତିଶତ ମତଦାନ।