ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହ କାମ ଜୋର୍ସୋରରେ ଆଗେଇ ଚାଲିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଗର୍ଭଗୃହର ପ୍ରଥମ ଫଟୋ। ମନ୍ଦିର ଟ୍ରଷ୍ଟର ଅଧିକାରୀ ଏହି ଫଟୋ ଜାରି କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି ଭବ୍ୟ ଗର୍ଭଗୃହର କାନ୍ଥ ଏବଂ ଗମ୍ବୁଜ ଉପରେ ହୋଇଥିବା ସୂକ୍ଷ୍ମ ଓ ସୁନ୍ଦର କାରୁକାର୍ଯ୍ୟ।
ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ରର ମହାସଚିବ ଚମ୍ପତ ରାୟ ଅଯୋଧ୍ୟାରେ ତିଆରି ହେଉଥିବା ରାମ ମନ୍ଦିରର ଗର୍ଭଗୃହ ଫଟୋ ସେୟାର କରିଛନ୍ତି। ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ପ୍ରଭୁ ରାମଙ୍କ ମୂର୍ତ୍ତି ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରସ୍ତୁତ ହୋଇଯିବ। ପ୍ରାଣ ପ୍ରତିଷ୍ଠା ପାଇଁ ଭଗବାନଙ୍କର ୩ଟି ମୂର୍ତ୍ତି ତିଆରି କରାଯାଇଛି।
ଅଧିକାରୀମାନଙ୍କ କହିବା ହେଲା, ଶ୍ରୀରାମଙ୍କର ୩ଟି ମୂର୍ତ୍ତି ତିଆରି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଥିରୁ ଗୋଟିଏ ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯିବ। ୩ଟି ମୂର୍ତ୍ତି ମଧ୍ୟରୁ ଦୁଇଟି କର୍ଣ୍ଣାଟକ ଏବଂ ଗୋଟିଏ ରାଜସ୍ଥାନର ପଥରରୁ ତିଆରି କରାଯାଇଛି।
ଚଳିତ ମାସ ୧୫ ତାରିଖରେ ମନ୍ଦିର ନ୍ୟାସର ଧାର୍ମିକ ସମିତି ପ୍ରାଣ ପ୍ରତିଷ୍ଠା ପାଇଁ ସର୍ବଶ୍ରେଷ୍ଠ ମୂର୍ତ୍ତି ଚୟନ କରିବେ। ମୂର୍ତ୍ତିଗୁଡ଼ିକର କାର୍ଯ୍ୟ ପାଖାପାଖି ୯୦ ପ୍ରତିଶତ ପର୍ଯ୍ୟନ୍ତ ଶେଷ ହୋଇଗଲାଣି। ବର୍ତ୍ତମାନ ଏହାକୁ ଅନ୍ତିମ ରୂପ ଦିଆଯାଉଛି।