ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ । ଏହାପରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଉଦଘାଟନୀ ଦିବସରେ ୨୮୦ ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିବେ । ପରଦିନ ଅର୍ଥାତ ୨୫ ତାରିଖରେ ଅବଶିଷ୍ଟ ୨୬୪ ସାଂସଦ ଶପଥ ପାଠ କରିବେ । ଏହାପରେ ବାତସ୍ପତି ନିର୍ବାଚନ, ରାଷ୍ଟ୍ରପତିଙ୍କ ସମ୍ବୋଧନ, ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଆଦି କାର୍ଯ୍ୟକ୍ରମ ରହିଛି ।
ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ପାଇଁ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବାଚସ୍ପତି ଭାବେ ନିଯକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶପଥ ଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହେବ । ୨୬ରେ ବାଚସ୍ପତି ନିର୍ବାଚନ ପରେ ୨୭ ତାରିଖରେ ରାଷ୍ଟ୍ରପତିଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ଥିବାବେଳେ ପରବର୍ତ୍ତୀ କାର୍ଯ୍ୟଦିବସ ତଥା ୨୮ ତାରିଖରେ ଧନ୍ୟବାଦ ପ୍ରସ୍ତାବ ଆଗତ ଓ ଚର୍ଚ୍ଚା ହେବ । ଜୁଲାଇ ୨ କିମ୍ବା ୩ ତାରିଖରେ ଏହି ଧନ୍ୟବାଦ ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ରଖିପାରନ୍ତି ।