ନୂଆଦିଲ୍ଲୀ : ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ଜଳକା କଲା ଶ୍ରୀଲଙ୍କା । ଶ୍ରୀଲଙ୍କା ଆଜି ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ଚମତ୍କାର ଢଙ୍ଗରେ ହରାଇ ଡବ୍ଲୁଟିସି ଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରଖିଛି। ଗାଲେରେ ଖେଳା ଯାଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ଶ୍ରୀଲଙ୍କା ୬୩ ରନରେ ଜିତି ନେଇଛି। ଶେଷ ଦିନରେ ଧନଞ୍ଜୟ ଡି’ସିଲଭାଙ୍କ ଦଳ ବିଜୟ ହାସଲ କରିଛି। ଶ୍ରୀଲଙ୍କା ପାଇଁ ପ୍ରଭାତ ଜୟସୂରିୟା ମ୍ୟାଚ୍ରେ ୨୦୪ ରନରେ ୯ଟି ୱିକେଟ ନେଇ ବିଜୟର ନାୟକ ସାଜିଛନ୍ତି।
ଶ୍ରୀଲଙ୍କା ପ୍ରଥମ ଇନିଂସରେ କାମିନ୍ଦୁ ମେଣ୍ଡିସଙ୍କ ୧୧୪ ରନ ବଳରେ ସମସ୍ତ ୱିକେଟ ହରାଇ ୩୦୫ ରନ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୩୪୦ ରନ କରି ଗୁରୁତ୍ୱପୂର୍ଣ୍ଣ ୩୫ ରନର ଲିଡ ପାଇଥିଲା। ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ୩୦୯ ରନ କରିବାକୁ ମ୍ୟାଚ୍ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୨୭୫ ରନର ଟାର୍ଗେଟ ମିଳିଥିଲା। ହେଲେ ଶ୍ରୀଲଙ୍କାର ସ୍ପିନ ଜାଲରେ ଭ୍ରମଣକାରୀ ଦଳର ବ୍ୟାଟରମାନେ ଫସି ଯାଇଥିଲେ। ରଚିନ ରବୀନ୍ଦ୍ର ଶେଷ ଯାଏ ୯୨ ରନ କରି ଲଢ଼ିଥିଲେ ହେଁ ଦଳକୁ ଜିତାଇ ପାରି ନଥିଲେ। ଆଜି ଶେଷ ଦିନରେ ସେ ନ୍ୟୁଜିଲ୍ୟାଣ୍ଡର ୯ମ ବ୍ୟାଟର ଭାବେ ଆଉଟ ହୋଇଥିଲେ। ତାଙ୍କ ୱିକେଟ ମଧ୍ୟ ପ୍ରଭାତ ନେଇଥିଲେ। ସେହିପରି ଶେଷ ବ୍ୟାଟର ଭାବେ ୱିଲିୟମ ଓରୌରକେ ମଧ୍ୟ ପ୍ରଭାତଙ୍କ ଶିକାର ବନିଥିଲେ। ପ୍ରଥମ ଇନିଂସରେ ସେ ୪ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୫ ସଫଳତା ପାଇଛନ୍ତି।
ଏହି ବିଜୟ ପରେ ଶ୍ରୀଲଙ୍କେ ଡବ୍ଲୁଟିସି ପଏଣ୍ଟ ଟେବୁଲରେ ନ୍ୟୁଜିଲ୍ୟାଣ୍ଡକୁ ତଳକୁ ଠେଲି ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ନ୍ୟୁଜିଲ୍ୟାଣ୍ଡର ବିଜୟ ପ୍ରତିଶତ ପଏଣ୍ଟ ୪୨.୮୬କୁ ଖସି ଯାଇଛି। ଇଂଲଣ୍ଡ ୪୨.୧୯ ସହ ୫ମ, ବାଂଲାଦେଶ ୩୯.୨୯ସହ ୬ଷ୍ଟ, ୩୮.୮୯ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ୭ମ, ପାକିସ୍ତାନ ୮ମ ଓ ୱେଷ୍ଟଇଣ୍ଡିଜ ୯ମ ସ୍ଥାନରେ ରହିଛି।