ନୂଆଦିଲ୍ଲୀ: ଟ୍ରେନ୍ର ଜେନେରାଲ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁବିଧା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛି ଭାରତୀୟ ରେଳ ବିଭାଗ। ୪୬ଟି ଦୂରଗାମୀ ଟ୍ରେନ୍ରେ ୯୨ଟି ଅତିରିକ୍ତ ବଗି ଲଗାଯାଇଥିବା ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି।
ବେଙ୍ଗାଲୁରୁ ସିଟି ବେଲଗାଭି ସୁପରଫାଷ୍ଟ ଏକ୍ସପ୍ରେସ୍, ଚେନ୍ନଇ ସେଣ୍ଟ୍ରାଲ୍ ହୁବଲି ସୁପରଫାଷ୍ଟ ଏକ୍ସପ୍ରେସ୍, ମୁମ୍ବଇ ବେଙ୍ଗାଲୁରୁ ଉଡାୟନ ଏକ୍ସପ୍ରେସ୍, ମୁମ୍ବଇ ଅମରାବତୀ ସୁପରଫାଷ୍ଟ, ଗୁଆହାଟୀ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍, ଗୁଆହାଟୀ ଜମ୍ମୁ ତାୱି ଏକ୍ସପ୍ରେସ ଆଦିରେ ନୂତନ ବଗି ସଂଯୋଗ କରାଯାଇଛି। ଏଥିସହ ଆଉ ୨୨ଟି ଟ୍ରେନ୍ରେ ଅତିରିକ୍ତ ଜେନେରାଲ ବଗି ସଂଯୋଗ କରିବାକୁ ଯୋଜନା ରହିଥିବା ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି। ୨୦୨୪-୨୫ ଓ ୨୦୨୫-୨୬ରେ ଅତିରିକ୍ତ ୧୦ ହଜାର ବଗି ନିର୍ମାଣ କରିବାକୁ ଯୋଜନା ରହିଥିବା ମନ୍ତ୍ରଣାଳୟ ଦର୍ଶାଇଛି। ସେଥିମଧ୍ୟରେ ୩୨ଟି ପାର୍ସଲ ଭ୍ୟାନ ଓ ୫୫ଟି ପାନ୍ଟ୍ରି କାର୍ ବଗି ନିର୍ମାଣ କରାଯିବ। ଚଳିତବର୍ଷ ରେଳ ବିଭାଗ ତରଫରୁ ୨୬୦୫ଟି ଜେନେରାଲ ବଗି ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜନୈକ ଅଧିକାରୀ ସୂଚନା ଦେଇଛନ୍ତି।