ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି । ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗିରିଜାନନ୍ଦନଙ୍କ ପୂଜା । ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ରୂପେ ପାଳନ କରାଯାଇଥାଏ । ବିରାଜିବେ ବିଘ୍ନ ବିନାଶକ । ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ବର ବିଶେଷ ମହତ୍ତ୍ୱ ରଖିଛି ।
ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କ ପୂଜା କରାଯାଇଥାଏ । କାରଣ ତାଙ୍କୁ ବିଘ୍ନହର୍ତ୍ତା କହନ୍ତି । ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା କରିବା ଦ୍ୱାରା ସମସ୍ତ କାମନା ର୍ନିବିଘ୍ନରେ ପୂର୍ଣ୍ଣ ହୋଇଥାଏ । ଗଣେଶ ଶବ୍ଦର ଅର୍ଥ ଗଣଙ୍କ ଈଶ୍ୱର ବା ଗଣଙ୍କ ସ୍ୱାମୀ । ତେଣୁ ଶୁଭକାର୍ଯ୍ୟରେ କୌଣସି ବାଧାବିଘ୍ନ ନଆସୁ ସେଥିପାଇଁ ପ୍ରଥମେ ଗଣେଶ ପୂଜା କରାଯାଇଥାଏ । ପ୍ରତ୍ୟେକ ଶୁଭକାର୍ଯ୍ୟ ପୂର୍ବରୁ ଶ୍ରୀ ଗଣେଶାୟ ନମଃ ସ୍ତୁତି ପାଠ କରାଯାଇଥାଏ । ତେବେ କାହାକିଁ ଗଣେଶଙ୍କୁ ଅଗ୍ରପୂଜ୍ୟ କରାଯାଏ ଜାଣିବା ।
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ମାନଙ୍କର ଆରାଧ୍ୟ ଦେବତା । ଦେବ ଦେବ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ ହେଉଛନ୍ତି ଅଗ୍ରପୂଜ୍ଯ ଶ୍ରୀ ଗଣେଶ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ । ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି।
ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ପ୍ରାରମ୍ଭରେ ଶ୍ରୀଗଣେଶଙ୍କୁ ଆବାହନ କରାଯାଏ । ତାଙ୍କୁ ପଞ୍ଚଦେବତା ମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ । ଶ୍ରୀଗଣେଶଙ୍କ ଶସ୍ତ୍ର ପରଶୁ, ପାଶ, ଅଂକୁଶ । ଗଣେଶଙ୍କର ଦୁଇଟି ପତ୍ନୀ ଯଥାକ୍ରମେ ରିଦ୍ଧି ଏବଂ ସିଦ୍ଧି । ଦକ୍ଷିଣ ଭାରତୀୟ ପରମ୍ପରାରେ ଗଣେଶଙ୍କୁ ବ୍ରହ୍ମଚାରୀ ରୂପରେ ଚିତ୍ରିତ କରାଯାଇଛି।
ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ଗାଧୋଇବା ମସୟରେ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କରିଥିଲେ ଏବଂ ଶ୍ରୀ ବିଷ୍ଣୁଙ୍କୁ ସ୍ମରଣ କରି ଦେହମଳିରୁ ଗଠିତ ମୂର୍ତ୍ତିକୁ ଜୀବନ ଦାନ ଦେଇଥିଲେ । ପାର୍ବତୀ ଗୁମ୍ଫା ଭିତରେ ତପସ୍ୟା କରିବା ସମୟରେ ମାନସ ପୁତ୍ର ଶ୍ରୀଗଣଶଙ୍କୁ ଦ୍ୱାର ଜଗିବା ସହିତ ଗୁମ୍ଫା ଭିତରକୁ କାହାକୁ ପ୍ରବେଶ ନକରେଇବା ପାଇଁ ଆଦେଶ ଦେଇଥିଲେ । ପାର୍ବତୀଙ୍କୁ ଖୋଜି ଖୋଜି ଶିବଗଣ ଗୁମ୍ଫା ଭିତରକୁ ପ୍ରବେଶ କରିବା ନିମନ୍ତେ ଉଦ୍ଯମ କରିବାରୁ ଗଣେଶଙ୍କ ପ୍ରହାରରେ ଛତ୍ରଭଙ୍ଗ ଦେଇ ଶିବଙ୍କୁ ସମସ୍ତ କଥା କହିବାରୁ ଶିବ ନିଜେ ଆସିଲେ ଏବଂ ଗୁମ୍ଫା ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧରେ ଜର୍ଜରିତ ହୋଇ ଯୁଦ୍ଧ କରି ଗଣେଶଙ୍କ ଶିର ଚ୍ଛେଦନ କଲେ ।
ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ଦେବଗଣଙ୍କୁ ମହାଦେବ ଆଦେଶ ଦେଲେ ଉତ୍ତର ଦିଗକୁ ମୁଣ୍ଡ କରିଶୋଇଥିବା ନବଜାତ ଶିଶୁର ମସ୍ତକ ଆଣି ବାପାଇଁ । ଦେବଗଣ ମାନେ ମୁଣ୍ଡ ଖୋଜିବା ସମୟରେ ଦେଖିଲେ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିଲା ଗୋଟିଏ ନବଜାତ ହାତୀ ଛୁଆ । କାଳବିଳମ୍ବ ନକରି ଦେବଗଣ ହାତୀ ଛୁଆର ମୁଣ୍ଡକୁ କାଟି ଆଣି ମହାଦେବଙ୍କୁ ଦେଲେ ଏବଂ ମହାଦେବ ସେ ମୁଣ୍ଡଟିକୁ ପୁତ୍ରର ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ । ଶ୍ରୀଗଣେଶ ମହାଦେବଙ୍କ ପ୍ରମଥ ଗଣର ସେନାପତି । ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ । ରକ୍ତ ଚନ୍ଦ୍ର, ରକ୍ତ ପୁଷ୍ପରେ ଏହାଙ୍କୁ ପୂଜା କରାଯାଏ । ଏହାଙ୍କର ଗଜମସ୍ତକ, ଏକଦନ୍ତ, ଥନ୍ତଲ ପେଟ ଓ ସାପ ପଇତା । ଏହାଙ୍କର ବାହନ ମୂଷା ।
ଗଣେଶ ଗଜାନନ ରୂପରେ ହିଁ ସର୍ବତ୍ର ପରିଚିତ। ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ। ଆଉମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ। ତା ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା। ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ। ଗଣେଶଙ୍କ ଅନ୍ୟ କେତେକ ନାମ ହେଲା : ସୁମୂଖ, ବିଘ୍ନହର୍ତ୍ତା, ବିଘ୍ନହର, ଧୂମ୍ରକେତୁ, ଗଣାଧ୍ୟକ୍ଷ, ବ୍ରହ୍ମଣସ୍ପତୀ, ମୟୂରେଶ୍ୱର, ବିଘ୍ନେଶ୍ୱର ଓ ଶୂର୍ପକର୍ଣ ଇତ୍ୟାଦି ।
ଶାସ୍ତ୍ର ମତେ ଗଣେଶଙ୍କ ଦ୍ୱାଦଶନାମ :-
(୧) ଏକଦନ୍ତ , (୨) କୃଷ୍ଣପିଙ୍ଗାକ୍ଷ , (୩) ଗଣପତି , (୪) ଗଜବକ୍ର , (୫) ଗଜାନନ (ଶରୀର ମଣିଷର ମସ୍ତକ ହାତୀର । ଶାସ୍ତ୍ରରେ କୁହାଯାଇଛି ଉଭୟ ମଣିଷ ଓ ହାତୀର ଆୟୁ ୧୨୦ ବର୍ଷ । ଉଭୟର ଗୁଣକୁ ଏକାଠି ହେଲେ ମଣିଷ ସଫଳ ହେବ । ତେଣୁ ଗଣେଶ ନିଜେ ଏହି ରୂପ ଧାରଣ କରିଛନ୍ତି । ‘ଗ’ର ଅର୍ଥ ମୋକ୍ଷ ପ୍ରାପ୍ତି ପାଇଁ ସମାଧିରେ ଥିବା ଯୋଗୀ । ‘ଜ’ର ଅର୍ଥ ଜୀବନ ପ୍ରତି ସାଂସାରିକ ଦୃଷ୍ଟିକୋଣ । ଅର୍ଥାତ୍ ସଂସାର ଭିତରେ ମୋକ୍ଷ ପ୍ରାପ୍ତ ସମ୍ଭବ କରାଇପାରନ୍ତି ଗଜାନନ) , (୬) ବକ୍ରତୁଣ୍ଡ , (୭) ବିକଟ , (୮) ବିଘ୍ନରାଜେନ୍ଦ୍ର , (୯) ବିନାୟକ , (ଗଣେଶଙ୍କର ଏହିନାମର ଅର୍ଥ ବିଶେଷ ନାୟକ । ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ଯେତେବେଳେ ପ୍ରିୟବଚନ ବା ପ୍ରାର୍ଥନାଦ୍ୱାରା ଗଣେଶଙ୍କୁ ସନ୍ତୁଷ୍ଟ କରାଯାଏ ତେବେ ସେ ଭକ୍ତର ରାସ୍ତାରେ ଥିବା ସବୁ ବାଧା ଦୂର କରନ୍ତି । ଅର୍ଥାତ୍ ଭକ୍ତର ଜୀବନରେ ଥିବା ବିପର୍ଯ୍ୟୟ, ସବୁ ଅମଙ୍ଗଳ, ସବୁ ବାଧା ଦୂରେଇ ଦିଅନ୍ତି ) , (୧୦) ଧୂମ୍ରବର୍ଣ୍ଣ , (୧୧) ଭାଲଚନ୍ଦ୍ର ଏବଂ (୧୨) ଲମ୍ବୋଦର (ଲମ୍ବା ଉଦର ବା ବଡ଼ ପେଟ ଥିବାରୁ ତାଙ୍କୁ ଲମ୍ବୋଦର ବୋଲି କୁହାଯାଇଥାଏ । କିନ୍ତୁ ପ୍ରକୃତ ଅର୍ଥରେ ଲମ୍ବୋଦର ତାଙ୍କୁ ହିଁ କୁହାଯାଏ ଯିଏ ସବୁକିଛି ଭଲ ବିଦ୍ୟା ଗ୍ରହଣ କରିପାରନ୍ତି ଏବଂ ସାଇତି ପାରନ୍ତି । ଗଣେଶ ପାର୍ବତୀଙ୍କ ନୁପୂରର ଶବ୍ଦଶୁଣି ସଙ୍ଗୀତ ଶିଖୁଥିଲେ । ପିତା ଶିବଙ୍କ ଡମ୍ବରୁର ଶବ୍ଦଶୁଣି ଚାରିବେଦ ଆୟତ କରିଥିଲେ । ତାଙ୍କର ଏହି ବିଶାଳ ବିଦ୍ୟାର ଭଣ୍ଡାର ହେଉଛି ତାଙ୍କର ପେଟ । ଏହି କାରଣରୁ ତାଙ୍କ ପେଟ ଖୁବ୍ ବଡ) ଏହା ହେଉଛି ଶ୍ରୀଗଣେଶଙ୍କର ଦ୍ବାଦଶ ନାମ ।
ଗଣେଶ ଆଦିଦେବ ଭାବରେ ପରିଚିତ । ସେ ସବୁଯୁଗରେ ଅବତାର ନେଇଥିବାର କୁହାଯାଏ । ସତ୍ୟ ଯୁଗରେ ଋଷି କଶ୍ୟପ ଓ ଅଦିତିଙ୍କ ଘରେ ମହଙ୍କତ ବିନାୟକ ରୂପରେ ଜନ୍ମ ନେଇ ଦେବାନ୍ତକ ଓ ନରାନ୍ତକ ନାମକ ରାକ୍ଷସଙ୍କୁ ବଧ କରିଥିଲେ । ତ୍ରେତୟା ଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ୱୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ। ଦ୍ୱାପର ଯୁଗରେ ଗଣେଶ ରୂପରେ ପାର୍ବତୀଙ୍କ ପୁତ୍ର ଭାବରେ ପୁରାଣରେ ବର୍ଣ୍ଣିତ। କଳି ଯୁଗରେ ଭବିଷ୍ୟ ପୁରାଣ ଅନୁସାରେ ଧୁମ୍ରକେତୁ ରୂପରେ ଅବତାର କଥାବର୍ଣ୍ଣିତ ଅଛି।