ନୂଆଦିଲ୍ଲୀ : ଝାଡ଼ଖଣ୍ଡରେ ହାଓଡ଼ା-ମୁମ୍ବାଇ ରେଳ ଦୁର୍ଘଟଣା ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଚକ୍ରଧରପୁର ରେଳଡିଭିଜନ ଅନ୍ତର୍ଗତ ପୋଟୋବେଡା ଗାଁ ନିକଟରେ ବରବାମ୍ବୋ ଓ ଖାରସାୱା ରେଳ ଷ୍ଟେସନ ମଧ୍ୟରେ ଆଜି ସକାଳେ ହାଓଡ଼ା-ମୁମ୍ବାଇ ମେଲ୍ର ୧୮ଟି ବଗି ଲାଇନଚ୍ୟୁତ ହେବାରୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରେନର ବି-୪ ବଗିରୁ ଦୁଇ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣାଗ୍ରସ୍ତ ଟ୍ରେନଟି ହାଓଡ଼ାରୁ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାସ୍ ଅଭିମୁଖେ ଯାଉଥିଲା। ଫସି ରହିଥିବା ଯାତ୍ରୀଙ୍କୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। ମୃତକଙ୍କ ପରିବାରକୁ ରେଳବାଇ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଏଥିସହ ଗୁରୁତର ଆହତ ଯାତ୍ରୀଙ୍କ ପାଇଁ ୫ ଲକ୍ଷ ଓ ଆହତ ଯାତ୍ରୀଙ୍କ ପାଇଁ ୧ ଲକ୍ଷ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।