ଭୁବନେଶ୍ୱର: ଆଇଏଏସ ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବିକ୍ରମ ଯାଦବଙ୍କୁ ଏହି ପଦରୁ ହଟାଇ ୧୯୯୬ ବ୍ୟାଚର ଆଇଏଏସ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଆଇନ ବିଭାଗ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହାପୂର୍ବରୁ ୨୦୧୨ରୁ ୨୦୧୪ରେ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କର ଅନେକ ଅନୁଭୂତି ଓ ଅଭିଜ୍ଞତା ରହିଛି। ତାଙ୍କର ପ୍ରଶାସିନିକ ଦକ୍ଷତା ରହିଥିବାବେଳେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ନୀଳାଦ୍ରିବିଜେ ନୀତି ଯେଭଳି ସୁରୁଖୁରୁରେ ହେବ ସେହି ଦିଗ ପ୍ରତି ଅରବିନ୍ଦ ପାଢ଼ୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ଏବଂ ଏହା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ରହିବ ବୋଲି ଜଣାପଡ଼ିଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେବା ପରେ ଅରବିନ୍ଦ ପାଢ଼ୀ କହିଛନ୍ତି, ସବୁ ମହାପ୍ରଭୁଙ୍କ ଇଚ୍ଛା। କେମିତି ନୀତିକାନ୍ତି ଶୃଙ୍ଖଳିତ ହେବ ଏବଂ ମହାପ୍ରଭୁଙ୍କ ସଂସ୍କୃତିର କିଭଳି ଆହୁରି ପ୍ରଚାର ପ୍ରସାର ହେବ ତାହା ହିଁ ମୋର ପ୍ରାଥମିକତା ହେବ।