ଭୁବନେଶ୍ୱର : ସରକାରୀ ଜାଗାକୁ ଜବରଦଖଲ କରି ନିର୍ମିତ କୋଠାଗୁଡ଼ିକୁ ଭାଙ୍ଗିବେ ସରକାର। ସରକାରୀ ଜାଗାରେ ନିର୍ମାଣ ହୋଇଥିବା ସମସ୍ତ କୋଠାକୁ ଭଙ୍ଗାଯିବ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ପୂର୍ବରୁ କେବଳ ସରକାରୀ ଜାଗା ଜବରଦଖଲ କରିଥିବା ଗରିବ ଲୋକଙ୍କ କୋଠା ଭଙ୍ଗାଯାଉଥିଲା। କିନ୍ତୁ ଏବେ ସରକାରୀ ଜାଗା ଜବରଦଖଲ କରିଥିବା ବଡ଼ ବଡ଼ିଆ ଲୋକଙ୍କ କୋଠାରେ ବୁଲଡୋଜର ବୁଲିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।ଆଜି ସମ୍ବଲପୁରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଏକଥା କହିଛନ୍ତି ସୁରେଶ ପୂଜାରୀ।
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସରକାରୀ ଜମି ଜବରଦଖଲ ମାମଲାରେ ବଡ଼ବଡ଼ିଆଙ୍କ ମୁଖା ଖୋଲିବ। ମୁଁ ଦେଖି ଆସୁଛି ଜବରଦଖଲ ଉଚ୍ଛେଦରେ ଆଗେ ଗରିବ ଲୋକଙ୍କ ଝୁମ୍ପୁଡ଼ି ଭଙ୍ଗା ହୋଇଥାଏ। ୪ ଡିସିମିଲ୍ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ମାନେ ଜବରଦଖଲକାରୀ ନୁହଁନ୍ତି। ସେମାନେ ତ ନିଜ ଘର ପାଇଁ ୪ ଡିସିମିଲ୍ ୨ ଡିସିମିଲ୍ ରେ କୁଡ଼ିଆ ତିଆରି କରିଥାନ୍ତି। ସରକାରୀ ଜମି ଜବରଦଖଲ କରି ବହୁତଳ ପ୍ରାସାଦ ନିର୍ମାଣ କରିଥିବା ପ୍ରଭାବଶାଳୀ ବଡ଼ ବଡ଼ିଆଙ୍କ ବିଲଡିଂରେ ବୁଲଡୋଜର ବୁଲିବ।
ସୂଚନା ଯେ, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇସାରିଛନ୍ତି।