ନୂଆଦିଲ୍ଲୀ: ଦିଲ୍ଲୀରୁ କାନପୁର ଅଭିମୁଖେ ଯାଉଥିବା ନୀଳାଚଳ ଏକ୍ସପ୍ରେସ ଟ୍ରେନରେ ଘଟିଛି ଅଭାବନୀୟ ଘଟଣା। ପ୍ରୟାଗରାଜ ନିକଟ ଦାନୱାର-ସୋମନା ନିକଟରେ ନୀଳାଚଳ ଏକ୍ସପ୍ରେସ ଟ୍ରେନର ଜେନେରାଲ କୋଚରେ ବସିଥିବା ଜଣେ ଯାତ୍ରୀଙ୍କ ବେକରେ ହଠାତ୍ ଏକ ଲୁହା ରଡ୍ ଗଳିଯାଇ ମୃତ୍ୟୁ ହୋଇଛି । ଲୁହା ରଡ୍ ଝରକା ପଟେ ଟ୍ରେନ୍ ଭିତରକୁ ପଶି ଆସିଥିଲା । ରେଳବାଇ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।
ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାର ବାସିନ୍ଦା ହୃଷୀକେଶ ଦୁବେ ଆଜି ୧୨୮୭୬ ନୀଳାଚଳ ଏକ୍ସପ୍ରେସର ଟ୍ରେନର ଜେନେରାଲ କୋଚରେ ଯାତ୍ରା କରୁଥିଲେ। ସବୁକିଛି ଠିକଠାକ୍ ଥିଲାବେଳେ ହଠାତ୍ ସକାଳ ପ୍ରାୟ ୮.୪୫ ସମୟରେ ପ୍ରୟାଗରାଜ ନିକଟ ଦାନୱାର-ସୋମନା ନିକଟରେ ଏକ ଲୁହା ରଡ୍ ଝରକା କାଚ ଭାଙ୍ଗି ସିଟରେ ବସିଥିବା ହୃଷୀକେଶ ଦୁବେଙ୍କ ବେକରେ ପଶି ଯାଇଥିଲା । ଅଚାନକ ଏପରି ଘଟଣା ଯୋଗୁଁ ଟ୍ରେନରେ ଥିବା ଅନ୍ୟ ଯାତ୍ରୀମାନେ ଡରି ଯାଇଥିଲେ ।
ରେଳବାଇ କହିଛି ଯେ, ଯେଉଁ ସ୍ଥାନରେ ଏହି ଅଘଟଣ ଘଟିଛି ସେଠାରେ ରେଳବାଇର କିଛି ନିର୍ମାଣ କାର୍ଯ୍ୟ ଚାଲିଥିଲା । ସେଠାରୁ ଟ୍ରେନ୍ ଭିତରକୁ ଲୁହା ରଡ୍ ପଶି ଆସିଥିଲା। ଆରପିଏଫ୍ ଓ ଜିଆରପି ତରଫରୁ ଏହି ଘଟଣାର ମିଳିତ ତଦନ୍ତ କରାଯାଉଛି ।