ଚେନ୍ନାଇ : ୬ ମାସର ବ୍ୟବଧାନ ପରେ ଟିମ୍ ଇଣ୍ଡିଆ ରେଡ୍ ବଲ୍ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ଘରୋଇ ମଇଦାନ ଓ ସମ୍ମୁଖରେ ବାଂଲାଦେଶ ଦଳ । ପାକିସ୍ତାନ ଦଳକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍ରେ(୨-୦) ମୂଳପୋଛ କରି ବାଂଲାଦେଶ ଆଉ ଏକ ସିରିଜ ବିଜୟ ଲକ୍ଷ୍ୟରେ ଭାରତ ଗସ୍ତରେ ଆସିଛି ।
ଗୁରୁବାରଠୁ ଭାରତ-ବାଂଲାଦେଶ ଦୁଇ ଟିକିଆ ଟେଷ୍ଟ ସିରିଜ୍ । ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ଖେଳାଯିବ ସିରିଜ୍ର ପ୍ରଥମ ମ୍ୟାଚ୍ । ସକାଳ ୯ ଟା ୩୦ ମିନିଟ୍ରେ ଖେଳାଯିବ ଏହି ମ୍ୟାଚ୍ । ଉଭୟ ଟିମ୍ ସିରିଜ୍ ପ୍ରଥମ ମ୍ୟାଚ୍ ଜିତିବାକୁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ।
ଗୁରୁବାରଠୁ ଚେନ୍ନାଇରେ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟ ଜରିଆରେ ପାକ୍ ଗସ୍ତର ସଫଳତାକୁ ଦୋହରାଇବାକୁ ବାଂଲାଦେଶ ଯୋଜନା କରିଛି । ଇଂଲଣ୍ଡ ବିପକ୍ଷରେ ୪-୧ରେ ଟେଷ୍ଟ ସିରିଜ ଜିତିବା ପରଠୁ ଭାରତୀୟ ଦଳ ଟେଷ୍ଟ କ୍ରିକେଟ୍ ଖେଳି ନଥିଲା । ମାର୍ଚ୍ଚରୁ (ଆଇପିଏଲ୍ ଜରିଆରେ) ଭାରତୀୟ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା । ୧୩ବର୍ଷର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ଓ ଭାରତ ବିଶ୍ୱକପ୍ ଟ୍ରଫି ହାସଲ କରିଛି । ବେଶ୍ କିଛି ଦିନର ବିଶ୍ରାମ ପରେ ଏକ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିଜନ ପାଇଁ ଦଳ ପ୍ରସ୍ତୁତ ହେଉଛି ।
ବାଂଲାଦେଶ ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ରୂପେ ଉଭା ହୋଇଛି । ଏହାପରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେଣୁ ବିଜୟ ସହ ସିଜନ ଆରମ୍ଭ କରିବାକୁ ଭାରତ ଲକ୍ଷ୍ୟ ରଖିଛି । ଘରୋଇ ଗ୍ରାଉଣ୍ଡ୍ରେ କ୍ରମାନ୍ୱୟରେ ୧୭ଟି ଟେଷ୍ଟ ସିରିଜ ଜିତି ସାରିଥିବା ଭାରତ ଆଧିପତ୍ୟ ଜାରି ରଖିବା ଏକ ପ୍ରକାର ନିଶ୍ଚିତ ରହିଥିଲେ ହେଁ ବାଂଲାଦେଶ ଏଥର କଡ଼ା ଟକ୍କର ଦେବାକୁ ଅପେକ୍ଷା କରିଛି।