ଭୁବନେଶ୍ବର: ଆଜି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ସଚିବମାନଙ୍କୁ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ସମେତ ବିଭାଗୀୟ ମୁଖ୍ୟ ଦପ୍ତର ଗୁଡ଼ିକରେ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି। ଏହାସହିତ ବିଭାଗୀୟ ମୁଖ୍ୟ ଦପ୍ତରଗୁଡ଼ିକର ସଚିବମାନଙ୍କୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଗୃହ ବିଭାଗ ଅବଗତ କରିଛି।
ବୁଧବାର ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ତଥା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସଚିବାଳୟ(ଲୋକସେବା ଭବନ)ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦେଶ ଦିଆଯିବା ସହ ମୁଖ୍ୟ ଫାଟକ ପୂର୍ବାହ୍ନ ୧୦ଟା ୧୫ମିନିଟରେ ବନ୍ଦ କରାଯିବ। ଏହି ଅବଧି ମଧ୍ୟରେ ପଛଗେଟ୍ ଦେଇ କର୍ମଚାରୀମାନେ ଯାତାୟତ କରିପାରିବେ। କର୍ମଚାରୀ ଓ ଭିଜିଟରଙ୍କ ପାସ୍ ଓ ଆଇକାର୍ଡକୁ କଡ଼ାକଡ଼ି ଯାଞ୍ଚ କରାଯିବ। କର୍ମଚାରୀମାନେ ନିଜ ସିଟରେ ଉପସ୍ଥିତ ରହିବେ ଏବଂ ଭିଜିଟରମାନେ ନିଜର କାମ ତୁରନ୍ତ ଶେଷ କରି ଫେରି ଯିବା ପାଇଁ ବୋଲି ଗୃହ ବିଭାଗ ଜାରି କରିଥିବା ଚିଠିରେ ଉଲ୍ଲେଖ ରହିଛି ।