ଭୁବନେଶ୍ୱର : ଓଡ଼ିଶାରେ ହେବ ଭାରତ ଯୋଡ ଯାତ୍ରା । ପଦଯାତ୍ରା କରିବାକୁ ପ୍ରସ୍ତୁତ ହେଉଛି ରାଜ୍ୟ କଂଗ୍ରେସ । ରାଜ୍ୟ ଭିତରେ ଶହେ ଦିନରେ ୨ହଜାର କିଲୋମିଟର ପଦଯାତ୍ରା କରିବେ କଂଗ୍ରେସ ନେତା ଓ କର୍ମୀ । ଏନେଇ ଆଜି ରାଜ୍ୟ କଂଗ୍ରେସର ବୈଠକ ବସିବ । ଏଥିରେ ଦୀପାବଳି ପରେ ପଦଯାତ୍ରା ଆରମ୍ଭ କରିବା ନେଇ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ । ୨୫ଟି ଜିଲାରେ ପଦଯାତ୍ରା କରିବା ପାଇଁ ଦଳ ଯୋଜନା କରିଛି । ପଦଯାତ୍ରା ପାଇଁ ଜିଲା ସଂଯୋଜକ ନିଯୁକ୍ତି ଜାରି ରହିିଛି । କଂଗ୍ରେସ ରାଜ୍ୟର ୩୭ ହଜାର ବୁଥରେ ସଂଯୋଜକ ନିଯୁକ୍ତି ପରେ ପଂଚାୟତ, ଜିଲା ପରିଷଦ ଓ ୩୧୪ ବ୍ଲକରେ ମଧ୍ୟ ସଂଯୋଜକ ନିଯୁକ୍ତ କରାଯିବ ।
ଏଥିନିମନ୍ତେ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଓ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ପହଂଚିଛନ୍ତି । ରବିବାର ପୂର୍ବାହ୍ନରେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କଂଗ୍ରେସ ନେତୃମଣ୍ଡଳୀ ମାନଙ୍କ ବୈଠକରେ “ଭାରତ ଯୋଡ ଯାତ୍ରା-ଓଡ଼ିଶା” ସମ୍ପର୍କରେ ବିଚାର ବିମର୍ଶ କରିବେ । ଏହାପରେ ଦିନ ୧୨ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେବେ । ଏଥି ସାଙ୍ଗକୁ ଗଣମାଧ୍ୟମ ବିଭାଗର ଏକ ସ୍ୱତନ୍ତ୍ର ବୈଠକରେ ଉଦବୋଧନ ଦେବାର କାର୍ଯ୍ୟକ୍ରମର ରହିଛି ବୋଲି ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା ସୂଚନା ପ୍ରଦାନ କରିଛନ୍ତି ।