ପାର୍ଲ : ଆଜି ଦକ୍ଷିଣ ଆଫ୍ରିକା-ଭାରତ ଦିନିକିଆ ସିରିଜ୍ର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ । ଉଭୟ ଟିମ୍ ପାଇଁ କର ବା ମର ସ୍ଥିତି । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଉଭୟ ଦଳ ଗୋଟିଏ ଲେଖାଏଁ ଜିତିଥିବାରୁ ସ୍ଥିତି ସମାନ ରହିଛି। ତେଣୁ ଗୁରୁବାର ଦିନ ଖେଳାଯିବାକୁ ଥିବା ମ୍ୟାଚ୍କୁ ଯେଉଁ ଟିମ୍ ବିଜୟୀ ହେବ । ସେହି ଟିମ୍ ହିଁ ସିରିଜ୍କୁ ନିଜ ନାମରେ କରିବାରେ ସଫଳ ହେବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪ ଟା ୩୦ ମିନିଟରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ ।
ସିରିଜ୍ ପ୍ରଥମ ମ୍ୟାଚ୍କୁ ଭାରତ ଏକତରଫା ଭାବେ ବିଜୟୀ ହୋଇଥିଲା । ଯାହାଫଳରେ ତିନିଟିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିଥିଲା ଟିମ୍ ଇଣ୍ଡିଆ । ହେଲେ ୨ୟ ମ୍ୟାଚ୍ରେ କମ୍ବ୍ୟାକ୍ କରିଥିଲେ ଘରୋଇ ଦକ୍ଷିଣ ଆଫ୍ରିକା ଦଳ । ଦମ୍ଦାର ଖେଳ ପ୍ରଦର୍ଶନ କରି ୨ୟ ମ୍ୟାଚ୍ରେ ଭ୍ରମଣକାରୀ ଦଳ ଭାରତକୁ ୮ ଓ୍ୱିକେଟ୍ରେ ପରାସ୍ତ କରିଥିଲା । ଯାହାଫଳରେ ସିରିଜ୍ରେ ଉଭୟ ୧-୧ରେ ସ୍ଥିତିରେ ରହିଥିଲେ । ତେବେ ଏହିକ୍ରମରେ ଗୁରୁବାର ଦିନ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ । ଯେଉଁ ଟିମ୍ ଏହି ମ୍ୟାଚ୍ରେ ବିଜୟୀ ହେବ । ସେହି ଟିମ୍ ସିରିଜ ହାତେଇବ ।
ତେବେ ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଏବେ ଯାଏଁ ୮ଟି ଦିନିକିଆ ସିରିଜ୍ ଖେଳାଯାଇଛି । ଯେଉଁଥିରେ ମାତ୍ର ଗୋଟିଏ ସିରିଜ୍ ହିଁ ଜିତିବାରେ ସଫଳ ହୋଇଛି । ବାକି ଅନ୍ୟ ସମସ୍ତ ସିରିଜ୍କୁ ଘରୋଇ ଦକ୍ଷିଣ ଆଫ୍ରିକା ନିଜ ନାମରେ କରିବାରେ ସଫଳ ହୋଇଛି । ଦକ୍ଷିଣ ଆଫ୍ରିକାରେ ଭାରତ ଶେଷ ଥର ଲାଗି ୨୦୧୮ରେ ଦିନିକିଆ ଶୃଙ୍ଖଳା ଜିତିଥିଲା। ୫ ବର୍ଷ ପରେ ପୁଣି ଥରେ ଏଠାରେ ଟ୍ରଫି ଜିତିବା ଲାଗି ଭାରତ ଦୁଇ ଓପନର୍ ଋତୁରାଜ ଗାଏକ୍ବାଡ ଓ ସାଇ ସୁଦର୍ଶନଙ୍କଠୁ ଭଲ ଆରମ୍ଭ ଆଶା ରଖିଛି। ବୋଲିଂରେ ପ୍ରଥମ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିବା ଦୁଇ ପେସର ଅର୍ଶଦୀପ ସିଂହ ଓ ଆୱେସ ଖାନ ଦ୍ବିତୀୟ ମ୍ୟାଚରେ ବିଫଳ ହୋଇଥିଲେ। ସ୍ପିନରେ ଅକ୍ଷର ପଟେଲ କିମ୍ବା କୁଲଦୀପ ଯାଦବଙ୍କ ସ୍ଥାନରେ ଚହଲ ଖେଳିବାର ସମ୍ଭାବନା ରହିଛି। ତେଣୁ ୨୦୨୩ରେ ଟି-୨୦ ସିରିଜ୍ର ବିଜୟ ପରେ ଦିନିକିଆ ସିରିଜ୍କୁ ନିଜ ନାଁରେ କରିବାକୁ ନଜର ରଖିଛି ଭ୍ରମଣକାରୀ ଦଳ । ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ନିଜ ପୂର୍ବ ରେକର୍ଡକୁ କାଏମ ରଖିବାକୁ ଉଦ୍ୟମ କରିବ ।
ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଦଳ : ରିଜା ହେଣ୍ଡ୍ରିକ୍ସ, ଟୋନି ଡି ଜର୍ଜି, ରାସି ଭାନ୍ ଡର ଡୁସେନ, ଆଡେନ ମାରକ୍ରମ, ହେନରିକ୍ କ୍ଲାସେନ, ଡେଭିଡ୍ ମିଲର, ଆଣ୍ଡିଲ ଫେଲୁକ୍ୱାୟୁ, ୱିଆନ୍ ମୁଲଡର, ନାନ୍ଦ୍ରେ ବର୍ଗର, କେଶବ ମହାରାଜ, ତାବ୍ରେଜ ସାମ୍ସି ।
ଭାରତ ସମ୍ଭାବ୍ୟ ଦଳ : ଋତୁରାଜ ଗାଏକୱାଡ, ବି ସାଇ ସୁଦର୍ଶନ, ରଜତ ପାତିଦାର/ରିଙ୍କୁ ସିଂହ, ତିଳକ ବର୍ମା, କେଏଲ୍ ରାହୁଲ, ସଞ୍ଜୁ ସାମସନ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଅଭେଶ ଖାନ, କୁଲଦୀପ ଯାଦବ, ମୁକେଶ କୁମାର ।