ନ୍ୟୁୟର୍କ: ଚଳିତ ଆଇସିସି ଟି୨୦ ବିଶ୍ବକପର ବୁଧବାର ଆୟୋଜକ ଆମେରିକା ଓ ଭାରତ ମଧ୍ୟରେ ଗ୍ରୁପ-ଏ ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଖେଳାଯିବ। ଉଭୟେ ଦୁଇଟି ଲେଖାଏଁ ମ୍ୟାଚ ଜିତିଥିବାରୁ ୩ୟ ମ୍ୟାଚରେ ବିଜୟ ସହ ସୁପର-୮ରେ ସ୍ଥାନ ସୁରକ୍ଷିତ କରିବାକୁ ଉଦ୍ୟମ କରିବେ।
ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ଆର୍ୟଲାଣ୍ଡକୁ ୮ ୱିକେଟରେ ଓ ଦ୍ବିତୀୟ ମ୍ୟାଚରେ ପାକିସ୍ତାନକୁ ୬ରନରେ ପରାସ୍ତ କରିଥିଲା। ବ୍ୟାଟିଂରେ ରୋହିତ ଶର୍ମା ଭଲ ପ୍ରଦର୍ଶନ କରୁଥିବାବେଳେ ଓପନିଂ କରୁଥିବା ବିରାଟ କୋହଲି ବିଫଳ ହେଉଛନ୍ତି। କୋହଲି ଦୁଇଟି ମ୍ୟାଚରେ ଓପନିଂ କରି ୧ ଓ ୪ରନ କରିଥିବା ବେଳେ ରୋହିତ ୨ଟି ମ୍ୟାଚରୁ ୬୫ରନ କରିଥିଲେ। ୩ ନମ୍ବର ସ୍ଥାନରେ ଋଷଭ ପନ୍ଥ ଭଲ ପ୍ରଦର୍ଶନ କରୁଛନ୍ତି। ପନ୍ଥ ଆର୍ୟଲାଣ୍ଡ ବିପକ୍ଷରେ ୩୬ ଓ ପାକିସ୍ତାନ ବିପକ୍ଷରେ ୪୨ରନ କରିଥିଲେ। ଟି୨୦ ସ୍ପେଶାଲିଷ୍ଟ ସୂର୍ୟ୍ୟକୁମାର ଯାଦବ ୨ଟି ମ୍ୟାଚରୁ ୯ରନ କରିଛନ୍ତି। ଶିଭମ ଦୁବେ ଆଶା ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ସେ ପାକିସ୍ତାନ ବିପକ୍ଷରେ ମାତ୍ର ୩ରନ କରିଥିଲେ। ସୂର୍ଯ୍ୟକୁମାର, କୋହଲି ଓ ଦୁବେଙ୍କ ବ୍ୟାଟିଂ ଫର୍ମକୁ ନେଇ ଭାରତ ଚିନ୍ତାରେ ପଡ଼ିଛି। ଆମେରିକା ବିପକ୍ଷରେ ଦୁବେଙ୍କ ସ୍ଥାନରେ ଯଶସ୍ବୀ ଜୟସୱାଲ ଖେଳିବା ନେଇ ଆଶା କରାଯାଉଛି।