ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ରେ ଶନିବାର ଡବଲ୍ ହେଡର ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏବଂ ଦ୍ଵିତୀୟ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବ । ଉଭୟ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ ବୋଲି କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।
ଶନିବାର ଅପରାହ୍ନ ୩ଟା ସମୟରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ । ଛୋଟ ଗ୍ରାଉଣ୍ଡ ଏବଂ ବ୍ୟାଟରଙ୍କୁ ସୁହାଇବା ଭଳି ପିଚ୍ ପ୍ରସ୍ତୁତ ହୋଇଥିବାରୁ ଚିନ୍ନାସ୍ନାମୀ ଷ୍ଟାଡିୟମ୍ରେ ରନ୍ ବର୍ଷା ହେବ ବୋଲି ଆଶା କରାଯାଉଛି । ଇତିମଧ୍ୟରେ ଆଇପିଏଲ୍କୁ ୧୫ ଦିନ ଅତିକ୍ରମ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଏବେ ଯାଏଁ ବିଜୟର ଖାତା ଖୋଲିପାରିନାହିଁ । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ନିଜ ପ୍ରଥମ ମ୍ୟାଚ୍ରେ ବିଜୟ ପରେ ଲଗାତର ୨ଟି ମ୍ୟାଚ୍ରେ ପରାସ୍ତ ହୋଇଛି । ତେଣୁ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।
ସେହପରି ଶନିବାର ସନ୍ଧ୍ୟା ୭ଟା ୩୦ମିନିଟ ସମୟରେ ଲକ୍ଷ୍ନୌ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ପଞ୍ଜାବ କିଙ୍ଗସ୍ । ୩ଟି ମ୍ୟାଚ୍ ଜିତିସାରିଥିବା ଲକ୍ଷ୍ନୌ ଶନିବାର ଘରୋଇ ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗସ୍କୁ ଭେଟିବ । ଘରୋଇ ଦଳକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ପଞ୍ଜାବ । ସୁପର ଜାଏଣ୍ଟସ୍ ସବୁ ବିଭାଗରେ ଦମ୍ଦାର ପ୍ରଦର୍ଶନ କରୁଥିଲେ ବି ଅଧିନାୟକଙ୍କ ଫର୍ମକୁ ନେଇ ଚିନ୍ତାରେ ପ୍ରାଞ୍ଚାଇଜ୍ । ସେହିପରି ପଞ୍ଜାବ ମଧ୍ୟ ଏକ ସନ୍ତୁଳିତ ଦଳ ପରି ପ୍ରଦର୍ଶନ କରୁଛି । ତେଣୁ ସଂଧ୍ୟା ୭.୩୦ରେ ହେବାକୁ ଥିବା ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ।
ସୂଚନା ଯେ, ଚଳିତ ଆଇପିଏଲ୍ର ପଏଣ୍ଟ ଟେବୁଲ୍ରେ ରାଜସ୍ଥାନ ରୟାଲ୍ସ ୪ଟି ମ୍ୟାଚ୍ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇ ୬ ପଏଣ୍ଟ ସହ ଟପ୍ରେ ରହିଛି । ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୬ ପଏଣ୍ଟ ସହ ୨ୟ, ଗୁଜୁରାଟ୍ ଟାଉଟନ୍ସ ୬ ପଏଣ୍ଟ ସହ ୩ୟ, କୋଲକାତା ନାଇଟ ରାଇଡର୍ସ ୪ ପଏଣ୍ଟ ସହ ୪ର୍ଥ, ଚେନ୍ନାଇ ସୁପର କିଙ୍ଗସ୍ ୪ ପଏଣ୍ଟ ସହ ୫ମ, ପଞ୍ଜାବ କିଙ୍ଗସ୍ ୪ ପଏଣ୍ଟ ସହ ୬ଷ୍ଠ, ସନରାଜର୍ସ ହାଇଦ୍ରାବାଦ୍ ୪ ପଏଣ୍ଟ ସହ ୭ମ, ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨ ପଏଣ୍ଟ ସହ ୮ମ, ମୁମ୍ବାଇ ଇଣ୍ଡିଆନ୍ସ ୨ ପଏଣ୍ଟ ସହ ୯ମ, ଦିଲ୍ଲୀ କ୍ୟାପିଟାଲ୍ସ ଏବେ ଯାଏଁ କୌଣସି ପଏଣ୍ଟ ହାସଲ କରିପାରି ନାହିଁ ।