ଟୋକିଓ : ଜାପାନରେ ମଙ୍ଗଳବାର ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଜିଏଫଜେଡ୍ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିୟୋ ସାଇନ୍ସଙ୍କ ସୂଚନା ଅନୁସାରେ ଜାପାନର ହୋଂସୁ ପଶ୍ଚିମ ଉପକୂଳ ନିକଟରେ ରିକ୍ଚର ସ୍କେଲର ୬ ତୀବ୍ରତାର ଭୂମିକମ୍ପ ହୋଇଛି। ଭୂମିକମ୍ପ ପରେ ଏପର୍ଯ୍ୟନ୍ତ କ୍ଷୟକ୍ଷତି ଅଥବା ହତାହତ ନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ। ଏହା ପୂର୍ବରୁ ରବିବାର ୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।
ଜାପାନର ନୂଆ ବର୍ଷ ଭୂମିକମ୍ପରୁ ଆରମ୍ଭ ହୋଇଥିଲା। ୧ ଜାନୁୟାରୀ ମଧ୍ୟାହ୍ନ ୧୨ଟାରେ ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତିର କାରଣ ହୋଇଥିଲା। ଏହି ଭୂମିକମ୍ପ ସହିତ ସୁନାମୀ ଆଶଙ୍କା କରାଯାଇଥିଲା ଏହା ସାଙ୍ଗକୁ ପଛକୁ ପଛ ଭୂମିକମ୍ପର ଆକଳନ ମଧ୍ୟ କରାଯାଇଥିଲା। ଜାନୁୟାରୀ ୧ ତାରିଖରେ ହୋଇଥିବା ଭୂମିକମ୍ପ ଯୋଗୁ ଏପର୍ଯ୍ୟନ୍ତ ୧୨୬ ଜଣଙ୍କ ମୃତ୍ୟୁ ହେଲାଣି ସାଙ୍ଗକୁ ଶତାଧିକ ଘର ଓ ବାଣିଜ୍ୟିକ କେନ୍ଦ୍ର ମଧ୍ୟ ପ୍ରଭାବିତ ହୋଇଛି।