ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦର ଠାରୁ ଶୋଚନୀୟ ପରାଜୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସର କ୍ୟାପଟେନ୍ କେଏଲ ରାହୁଲଙ୍କ ଉପରେ ଫ୍ରାଞ୍ଚାଇଜର ମାଲିକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମ୍ୟାଚ୍ ପରେ ଦଳର ମାଲିକ ସଞ୍ଜୀବ ଗୋଏଙ୍କା ଅଧିନାୟକ ରାହୁଲଙ୍କ ସହ ବେଶ୍ ଉତ୍ତ୍ୟକ୍ତ ହୋଇ କଥା ହେଉଥିବା ଦେଖିବାକୁ ମିଳିଥିଲା । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଦଳର ପ୍ରଦର୍ଶନକୁ ନେଇ ମାଲିକ ସଞ୍ଜୀବ ଗୋଏଙ୍କା ବେଶ୍ ଅସନ୍ତୋଷ ଥିବା ଭିଡ଼ିଓରୁ ସ୍ପଷ୍ଟ ଜଣାପଡୁଛି। ମାଲିକଙ୍କ ରାଗ ଆଗରେ ରାହୁଲ ନିରୁପାୟ ଦେଖାଯାଉଛନ୍ତି ।
ରାହୁଲଙ୍କ ପ୍ରତି ସଞ୍ଜୀବ ଗୋଏଙ୍କାଙ୍କ ଏଭଳି ଆଚରଣକୁ ପ୍ରଶଂସକମାନେ ନିନ୍ଦା କରିଛନ୍ତି । ରାହୁଲ ଜଣେ ଅନ୍ତର୍ଜାତୀୟ କ୍ରିକେଟର । ତାଙ୍କ ସହ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ ବିଶେଷକରି ସର୍ବ ସମ୍ମୁଖରେ ।
ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା । ତେବେ ଏହି ଲକ୍ଷ୍ୟକୁ ହାଇଦ୍ରାବାଦ କୌଣସି ଓ୍ବିକେଟ୍ ନ ହରାଇ ମାତ୍ର ୯.୪ ଓଭରରେ ହାସଲ କରିଦେଇଥିଲା । ଆଇପିଏଲ୍ ଇତିହାସରେ ୧୫୦+ ଟାର୍ଗେଟ୍ ଦୃଷ୍ଟିରୁ ଏହା ହେଉଛି ଦ୍ରୁତତମ ଚେଜ୍ । ହାଇଦ୍ରାବାଦର ଦୁଇ ଓପନର ହିଁ ଲକ୍ଷ୍ନୌ ପ୍ରଦତ୍ତ ଏହି ବିଜୟ ଲକ୍ଷ୍ୟକୁ ଏଭଳି ଅନାୟସରେ ଚେଜ୍ କରିଦେଇଥିଲେ।
ହେଡ୍ ମାତ୍ର ୩୦ ବଲରେ ୮ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ଅପରାଜିତ ୮୯ ରନ୍ କରିଥିବା ବେଳେ ତାଙ୍କ ଯୁବ ଓପନିଂ ପାର୍ଟନର ଅଭିଷେକ ୨୮ ବଲରେ ୮ଟି ଚୌକା ଓ ୬ଟି ଚକା ସହ ବିସ୍ଫୋରକ ୭୫ ରନ୍ କରିଥିଲେ । ଏହି ଜବରଦସ୍ତ ବିଜୟ ସହିତ ହାଇଦ୍ରାବାଦ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚି ପ୍ଲେ ଅଫର ନିକଟତର ହୋଇଛି।
ହାଇଦ୍ରାବାଦର ୧୨ଟି ମ୍ୟାଚ୍ ପରେ ୭ ବିଜୟ ଏବଂ ୫ ପରାଜୟ ସହ ୧୪ ପଏଣ୍ଟ ରହିଛି | ହାଇଦ୍ରାବାଦର ନେଟ୍ ରନ୍ ରେଟ୍ ହେଉଛି +୦.୪୦୬ । ଅନ୍ୟପକ୍ଷରେ ସମାନ ସଂଖ୍ୟକ ମ୍ୟାଚରେ ଲକ୍ଷ୍ନୌର ଏହା ଷଷ୍ଠ ପରାଜୟ ଥିଲା। ଦଳ ପାଖରେ ୧୨ ପଏଣ୍ଟ ଥିବାବେଳେ ନେଟ୍ ରନ୍ ରେଟ୍ -୦.୭୬୯ ଷଷ୍ଠ ସ୍ଥାନରେ ରହିଛି । ହାଇଦ୍ରାବାଦର ପରବର୍ତ୍ତୀ ମ୍ୟାଚ୍ ମେ ୧୬ରେ ଗୁଜୁରାଟ ଟାଇଟନ୍ସ ଏବଂ ମେ ୧୯ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ହେବ। ହାଇଦ୍ରାବାଦ ଦଳ ଏହି ଦୁଇଟି ମ୍ୟାଚ୍ ନିଜ ଘରୋଇ ଗ୍ରାଉଣ୍ଡରେ ଖେଳିବ। ସେପଟେ ଲକ୍ଷ୍ନୌ ଦଳ ମେ ୧୪ରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମେ ୧୭ରେ ଓ୍ବାଙ୍ଖେଡେରେ ମୁମ୍ବାଇକୁ ଭେଟିବ ।