ମାଲକାନଗିରି : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଲଘୁଚାପଟି ଅବପାତରେ ପରିଣତ ହୋଇ ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି। ଏହା ପ୍ରଭାବରେ ୨୩ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ। ଆଜି ସକାଳେ ମଧ୍ୟ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।
ଏହି ପରିପ୍ରେକ୍ଷୀରେ ଲଗାଣ ବର୍ଷା ଯୋଗୁଁ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା । ବର୍ଷାରେ ବୁଡିଲା ପୋଲ , ଯାତାୟାତ ଠପ୍ । ମାଲକାନଗିରି ଠାରୁ ମୋଟୁ ପର୍ଯ୍ୟନ୍ତ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ସବୁଠି ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ମହାରାଜପାଲି, ଏମଭି-୯୦ ଓ ଏମଭି-୯୬ ପୋଲ ଉପରେ ୪ ରୁ ୫ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଥିବାବେଳେ ପୋଟେରୂ ଓ କାଙ୍କୁରୁକୋଣ୍ଡା ନଦୀ ପୋଲ ଉପରେ ୭ ରୁ ୮ ଫୁଟ୍ ପର୍ଯ୍ୟନ୍ତ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଠାରୁ କାଲିମେଳା ମୋଟୁ ଓ ପଡିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସବୁଠି ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ପୁଲିସ୍ ଏବଂ ପ୍ରଶାସନର ଅଧିକାରୀମାନେ ସବୁଠି ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି ।