କୋଲକାତା: ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ବିରୋଧରେ ରାଜଭବନର ଜଣେ ମହିଳା କର୍ମଚାରୀ ଅସଦାଚରଣ ଅଭିଯୋଗ କରିଛନ୍ତି। ଏନେଇ ମହିଳା କର୍ମଚାରୀ ଜଣକ ହରେ ଷ୍ଟ୍ରିଟ ପୋଲିସ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି।
ମହିଳା କର୍ମଚାରୀ ଅଭିଯୋଗ ଅନୁସାରେ, ସେ ସ୍ଥାୟୀ ଚାକିରି ପାଇଁ ଅନୁରୋଧ କରି ମାର୍ଚ୍ଚ ୨୪ରେ ରାଜ୍ୟପାଳଙ୍କ ନିକଟକୁ ଯାଇଥିବା ବେଳେ ରାଜ୍ୟପାଳ ସିଭି ଆନନ୍ଦ ବୋଷ ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁଥିଲେ । ଗୁରୁବାର ପୁଣି ତାଙ୍କ ସହ ଅସଦାଚରଣ କରାଯିବା ପରେ ସେ ରାଜଭବନ ବାହାରେ ମୁତୟନ ପୋଲିସ ଅଧିକାରୀଙ୍କୁ ଏନେଇ ଅଭିଯୋଗ କରିଥିଲେ ।
ମହିଳାଙ୍କ ଅଭିଯୋଗକୁ ରାଜ୍ୟପାଳ ଖଣ୍ଡନ କରିଛନ୍ତି । ରାଜ୍ୟପାଳ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ କହିଛନ୍ତି, “ଏହା ମୋତେ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର | ମୋ ବିରୋଧରେ ଭିତ୍ତିହୀନ ଅଭିଯୋଗ ହୋଇଛି। ସତ୍ୟର ବିଜୟ ହେବ | ମୁଁ ମନଗଢା କାହାଣୀକୁ ଭୟ କରେ ନାହିଁ। ଯଦି କେହି ମୋତେ ବଦନାମ କରି ନିର୍ବାଚନ ଫାଇଦା ହାସଲ କରିବାକୁ ଚାହାଁନ୍ତି, ତେବେ ଭଗବାନ ତାଙ୍କ ମଙ୍ଗଳ କରନ୍ତୁ | ମୁଁ ଦୁର୍ନୀତି ଏବଂ ହିଂସା ବିରୋଧରେ ଲଢ଼େଇ ବନ୍ଦ କରିପାରିବି ନାହିଁ।”
ସେପଟେ ପୋଲିସକୁ ରାଜ ଭବନ ପରିସରରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ଏଥି ସହ ରାଜ୍ୟପାଳ ରାଜ୍ୟର ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କ ପ୍ରବେଶ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି। ଚନ୍ଦ୍ରିମା ସମ୍ବିଧାନ ବିରୋଧୀ ବୟାନ ଦେଇଥିବା ଅଭିଯୋଗ କରିଛନ୍ତି ରାଜ୍ୟପାଳ। ମନ୍ତ୍ରୀ ଚନ୍ଦ୍ରିମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆଟର୍ଣ୍ଣି ଜେନେରାଲଙ୍କଠାରୁ ପରାମର୍ଶ ଲୋଡିଛନ୍ତି।